ଆଗାମୀ ୭ଦିନ ଯାଏଁ ତାତିରୁ ତ୍ରାହି ନାହିଁ : ଲଗାତର ତୃତୀୟ ଦିନ ପାଇଁ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର

60

କନକ ବ୍ୟୁରୋ : ଆହୁରି ତାତିବ ଓଡିଶା । ଉପକୂଳରୁ ପଶ୍ଚିମ, ଆହୁରି ସପ୍ତାହେ ଯାଏଁ ତାତିରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ହେବ । ଯାହା ମୌସୁମୀକୁ ସକ୍ରିୟ କରିବ ।

heat wave

ମୌସୁମୀ ଦୁର୍ବଳ ହେବା ପରେ ଅସମ୍ଭାଳ ହୋଇପଡିଛି ତାତି । ଡହ ଡହ ଖରା, ଅସହ୍ୟ ଗୁଳୁଗୁଳି । ଆକାଶରୁ ଯେମିତି ନିଆଁ ବର୍ଷୁଛି । ମୁହଁ ନଘୋଡାଇଲେ ପଦାକୁ ବାହାରିହେଉନି । ମୁଣ୍ଡ ଉପରେ ଛତା ଆଉ ମୁହଁରେ କପଡା । ତତଲା ପବନରେ ଦେହ ସିଝି ଯାଉଛି । ପାରଦ ୪୦ରୁ କମିବା ନାଁ ନେଉନି ପଶ୍ଚିମ ଓଡିଶାରେ । ସକାଳ ୧୦ ଟା ହେଲେ ଖାଁ ଖାଁ ହୋଇଯାଉଛି ରାସ୍ତା । ନା ଘରେ ବସିହେଉଛି ନା ବାହାରକୁ ବାହାରିହେଉଛି ।

ପଶ୍ଚିମରୁ ଅଧିକ ଜଳୁଛି ଉପକୂଳ । ଆଷାଢରେ ବୈଶାଖର ତାତି କଲବଲ କରିଛି ସମସ୍ତଙ୍କୁ । ଅସହ୍ୟ ଖରାରେ ହନ୍ତସନ୍ତ ହେଉଛନ୍ତି ପର୍ଯ୍ୟଟକ । ଏଥର ଶୀଘ୍ର ଆସିଥିଲା ମୌସୁମୀ । କୁହାଗଲା, ଭଲ ବର୍ଷିବ । ହେଲେ ଏବେ ଯେମିତି ହଜିଯାଇଛି । ପାଣିପାଗ ବିଭାଗ ଆକଳନ କରିଛି, ଲଘୁଚାପ ଭରସାରେ ଅଛି ମୌସୁମୀ । ଲଘୁଚାପ ହେଲେ ଯାଇ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ସାରା ଓଡିଶାର ବର୍ଷା କରିବ । ଜୁନ୍ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସହ ପାଣିପାଗରେ ପରିବର୍ତ୍ତନର ଅନୁମାନ କରାଯାଉଛି । ବର୍ଷାଦିନରେ ଖରାଦିନଠାରୁ ଅଧିକ ଖରା । ଏଭଳି ଗରମ ଆହୁରି ସପ୍ତାହେ ଯାଏଁ ଲାଗିରହିବ । ତାପରେ ମିଳିପାରେ ଗରମରୁ ମୁକ୍ତି ।