ରାଜ୍ୟରେ ତାତି ଅସମ୍ଭାଳ ! ଜଳୁଛି ବଲାଙ୍ଗୀର,୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

32

କନକ ବ୍ୟୁରୋ : ରାଜ୍ୟରେ ତାତି ଅସମ୍ଭାଳ ହେଲାଣି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ନଜରକୁ ଆସିଛି । ବଲାଙ୍ଗୀରରେ ଗତକାଲି ତାପମାତ୍ର ୪୨.୬ ଡିଗ୍ରି ରହିଥିଲା, ଆଜି କିନ୍ତୁ ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ବଲାଙ୍ଗୀର ସହରରେ ଆଜି ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରି ତାତି ରେକର୍ଡ କରାଯାଇଛି । ବଲାଙ୍ଗୀର ଭଳି ଝାରସୁଗୁଡ଼ା ମଧ୍ୟ ଗତକାଲିର ତାପମାତ୍ରାକୁ ଟପିଯାଇଛି । ସେଠାରେ ତାପମାତ୍ରା ୪୩.୨ ଡିଗ୍ରି ରହିଛି ।

ଗତ କିଛିଦିନ ଧରି ରାଜ୍ୟରେ ତାତି ବଢ଼ି ବଢ଼ି ଚାଲିଛି । ଗତକାଲି ୮ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ ରହିଥିବା ବେଳେ ଆଜି ୧୨ଟି ସହରରେ ତାପମାତ୍ରା ୪୦ଡିଗ୍ରି ଉପରେ ରହିଛି । ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୩.୫ ଡିଗ୍ରି ରହିଥିବା ବେଳେ ଆଜି ତାହା ଖସି ଆସି ୪୨ଡିଗ୍ରିରେ ପହଞ୍ଚିଛି । ମାତ୍ର ଅନ୍ୟ ସହରରେ ତାତି ଯଥେଷ୍ଟ ବୃଦ୍ଧି ପାଇଛି । ସୋନପୁରରେ ଆଜି ତାପମାତ୍ର ୪୨.୬ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୪୨.୨ଡିଗ୍ରି, ହୀରାକୁଦରେ ୪୨.୧ଡିଗ୍ରି, ତାଳଚେରରେ ୪୧.୬ ଡିଗ୍ରି, ଭବାନୀପାଟଣାରେ ୪୧.୫ ଡିଗ୍ରି, ଅନୁଗୁଳରେ ୪୧.୧ଡିଗ୍ରି, ମାଲକାନାଗିରିରେ ୪୦.୨ଡିଗ୍ରି, ଢେଙ୍କାନାଳରେ ୪୦.୧ଡିଗ୍ରି ଓ ଫୁଲବାଣୀରେ ତାପମାତ୍ରା ୪୦ଡିଗ୍ରି ରେକର୍ଡ କରାଯାଇଛି ।

ଅପରପକ୍ଷରେ ଉପକୂଳ ଓଡ଼ିଶାରେ ତାପାମାତ୍ରା ସାମାନ୍ୟ ହ୍ରାସ ପାଇଛି। ପୁରୀରେ ତାପମାତ୍ରା ୩୩ଡିଗ୍ରି ରହିଥିବା ବେଳେ ଗୋପଳପୁରରେ ୩୨ଡିଗ୍ରି ଓ ପାରାଦୀପରେ ୩୧.୭ଡିଗ୍ରି ରେକର୍ଡ ହୋଇଛି । ଏହାସହ ରାଜଧାନୀ ଭୁବନେଶ୍ୱରେ ତାପମାତ୍ରା ଆଜି ୩୯.୨ ଡିଗ୍ରି ରହିଛି । କେନ୍ଦୁଝରଗଡ଼, ଚାନ୍ଦବାଲି, କଟକ ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୮ଡିଗ୍ରି ଉପରେ ରହିଥିବା ରେକର୍ଡ କରାଯାଇଛି ।