ସାରା ରାଜ୍ୟରେ ତାତିର ରାଜୁତି ! ବ୍ରହ୍ମପୁରରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

27

କନକ ବୁରୋ : ସାରା ରାଜ୍ୟରେ ରାଜ୍ କରୁଛି ତାତି । ସୂର୍ଯ୍ୟଙ୍କର ପ୍ରଖର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ । ରାଜ୍ୟ ବ୍ୟାପୀ ମୁଣ୍ଡ ଫଟା ଖରା ଅନୁଭୁତ ହେଉଥିବା ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଖରା ଦାଉରେ ଦିନ ୧୦ ଟା ପରେ ଏକ ପ୍ରକାର ଠପ୍ ହୋଇଯାଉଛି ବ୍ରହ୍ମପୁର ସହର । ସେପଟେ ବଲାଙ୍ଗୀରରେ ଗତ କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଛି ପାରଦ ।

ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠ ସ୍ଥଳୀରେ ତାତିର ରାଜୁତି । ବ୍ରହ୍ମପୁର ସହରରେ ଅସହୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଜୀବନ । ସ୍ଥିତି ଏଭଳି ହୋଇଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ । ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରୁଥିବା ଲୋକ ତାତିରେ ପାଣି ଢୋକେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରରେ ଜଳଛତ୍ର ଟିଏ ଖୋଲି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଆଗାମୀ ୨ ରୁ ତିନି ଦିନ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବା ସହ ମହାନଗର ନିଗମର ବିଭିନ୍ନ ୱାର୍ଡ଼ରେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଏମସି ଡେପୁଟି କମିସନର ।

 

ଏପ୍ରିଲ ପ୍ରଥମ ସପ୍ତାହରୁ ବଲାଙ୍ଗିର ସହରର ତାପମାତ୍ରା ୪୦ଂ ଉପେର ରହି ଆସୁଛି । ଆଗକୁ ମେ’ ଜୁନ ଦୁଇ ମାସ ଥିବାରୁ ସ୍ଥିତି କଣ ହେବ ଏବେଠୁ ତାକୁ ନେଇ ଭାଳେଣୀ ପଡିଲାଣି । ସକାଳ ଆଠଟାରୁ ହିଁ ଗରମ ଅନୁଭୁତ ହେଉଛି, ଫଳେର ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ବିନା ଛତା ଓ ଚଷମା ଓ ଟୋପିରେ ଲୋକେ ପଦାକୁ ବାହାରୁ ନଥିବା ବେଳେ ଜଳକଷ୍ଟ ଦୁଃଖକୁ ବଢାଇ ଦେଇଛି । ଆଗକୁ ଖରା ଏମିତି ଜାରି ରହିଲେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବ । ଜୀବଜନ୍ତୁଙ୍କ ଜୀବନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।