ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ! ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର

42

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତକାଲି ସବୁଠି ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର ହୋଇଥିବା ବେଳେ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ୪୧.୫ ଡିଗ୍ରି ରହିଥିଲା, ଯାହାକି ଚଳିତ ବର୍ଷର ସର୍ବୋଚ୍ଚ । ପ୍ରଥମ ଥର ଲାଗି ରାଜ୍ୟର କୌଣସି ସ୍ଥାନର ତାପମାତ୍ରା ୪୧ ଡିଗ୍ରି ଟପିଛି । ଟିଟିଲାଗଡ଼ ମଧ୍ୟ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଉତ୍ତପ୍ତ ସହରରେ ପରିଣତ ହୋଇଛି । ବିଦର୍ଭର ଆକୋଲାଠାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରି ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

heatwave

ପଶ୍ଚିମ ଓଡ଼ିଶା ଏବେ ତତଲା ପାଲଟିଛି । ଏଠାରେ ସମସ୍ତ ସହରର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଛି । ଉପକୂଳ ଓଡ଼ିଶାରେ ବି ତାତି ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ୨୯ ଓ ୩୦ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ହିଟୱେଭ୍‌ । ଖୋର୍ଧା ସମେତ ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଟକ, ସୋନପୁରରେ ତାପମାତ୍ରା ୪୦ ଡିଗ୍ରି ଟପିବାର ଆଶଙ୍କା ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାତି ଲାଗି ରହିବ । ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ଆକଳନ କହୁଛି ୨୯ ଓ ୩୦ ତାରିଖରେ ୧୧ଟି ଜିଲ୍ଲାର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଝାଞ୍ଜି ପବନ ବାଡ଼େଇବ। ପୂର୍ବାହ୍ନ ୧୧ଟା ପରେ ଟାଣ ଖରା ହେବ । ଅପରାହ୍ନ ଯାଏ ଏଭଳି ସ୍ଥିତି ଜାରି ରହିବ । ପଶ୍ଚିମ ଦିଗରୁ ପବନ ହେଉଥିବାରୁ ତାତି ହେଉଛି। ୩୧ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ହୋଇପାରେ । ବର୍ଷା ସାଙ୍ଗକୁ ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବାର ଆଶଙ୍କା ରହିଛି । ଏପ୍ରିଲ ୪ ପର୍ଯ୍ୟନ୍ତ କାଳବୈଶାଖୀର ଆଶଙ୍କା ରହିଛି ।

ଟିଟିଲାଗଡ଼ ସମେତ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ସୋନପୁରରେ ୪୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୦.୨, ବଲାଙ୍ଗୀରରେ ୪୦.୧, ହୀରାକୁଦରେ ୩୯.୯, ଅନୁଗୁଳରେ ୩୯.୭, ସମ୍ବଲପୁରରେ ୩୯.୨, ଝାରସୁଗୁଡ଼ାରେ ୩୯, ଢେଙ୍କାନାଳ, ତାଳଚେର ଓ ବାଲେଶ୍ୱରରେ ୩୮.୮, ବାରିପଦାରେ ୩୮.୫, ଭୁବନେଶ୍ୱରରେ ୩୮.୨, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରି ରେକର୍ଡ ହୋଇଛି।