ଆସନ୍ତା ୨୧ ତାରିଖ ପରେ କମିବ ତାତି : ୧୮ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା

33

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ସାରା ଓଡ଼ିଶାରେ ବଢ଼ିଛି ତାତି । ଉପକୂଳରୁ ଆଭ୍ୟନ୍ତରୀଣ ହେଉ କି ଉତ୍ତରରୁ ଦକ୍ଷିଣ ଓଡ଼ିଶା । ସବୁଠି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଟିଟିଲାଗଡ଼ ତାପମାତ୍ରା ପୁଣିଥରେ ୪୦ ଡିଗ୍ରିରେ ପହଞ୍ଚିଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ତାପମାତ୍ରା ୩୭ ଡିଗ୍ରି ପାର୍‌ ହୋଇଛି । ଉପକୂଳରେ ବି ନିସ୍ତାର ନାହିଁ । କଟକର ତାପମାତ୍ରା ୩୮ ଡିଗ୍ରି ଡେଇଁଥିବା ବେଳେ ଭୁବନେଶ୍ୱରର ତାତି ୩୭ ଡିଗ୍ରି ଟପିଯାଇଛି ।

heat wave

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାତି କମିବାର ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆହୁରି କୁହାଯାଇଛି ଯେ ୧୮ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । କିନ୍ତୁ ତାପମାତ୍ରା ଉପରେ କୌଣସି ପ୍ରଭାବ ପଡ଼ିବନି । ଦିନର ତାପମାତ୍ରା ବଢ଼ିବ । କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବାର ବି ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।