ମରିପଡ଼ିଛି ମାଆ, ଶବ ପାଖରେ ଖେଳୁଛି ଛୁଆ । ଭୂତାଣୁ ନୁହେଁ ତା’ ଭୋକରେ ମରିଛି ମାଆ । କୁନିପୁଅ ଜାଣିନି, ଯେତେ ଚିକ୍ରାର କଲେ ବି ମାଆ ଆଉ ଜମା ଉଠିବନି । ଏମିତି ଏକ ଚିତ୍ର ଆପଣଙ୍କ ହୃଦୟ ବି ଦୋହଲାଇଦେବ ଦୁନିଆ କ’ଣ ଜାଣିନଥିବା ଦେଢ଼ବର୍ଷର କୁନିପୁଅର କାହାଣୀ କନ୍ଦେଇ ଦେବ…

1,149

କନକ ବ୍ୟୁରୋ: ମା ଉଠୁ…ଏ ମା ଉଠୁ…ଲୋ…ଏମିତି କିଛି ସମୟ ଧରି ଚାଦରକୁ ଟାଣି ଶୋଇପଡ଼ିଥିବା ମାକୁ ଉଠାଇବା ପାଇଁ ଚେଷ୍ଟା କରୁଛି କୁନି ପୁଅ । ଚାଦରକୁ ବାରମ୍ବାର ଟାଣିବା ପରେ ମଧ୍ୟ ମା କିଛି କଥା କହୁନି କି ଏତେ ଟଣାଓଟରା କରିବା ପରେ ବି ମା ତାକୁ ଗାଳି କରୁନି କାହିଁକି? ନୂଆ କରି ଜୀବନ ଦେଖିଥିବା ନିଷ୍ପାପ କଢ଼ିଟି କେମିତି ଜାଣିବ ଜୀବନର ମୂଲ୍ୟ, ସେ ଅବା କ’ଣ ବୁଝିବ! ଯେଉଁ ଚାଦର ତଳେ ସବୁଦିନ ଜାକିଜୁକି ହୋଇ ମାକୁ ଜାବୁଡ଼ି ଧରି ଶୁଏ ସେ ଚାଦର ତଳେ ମା’ ସବୁଦିନ ପାଇଁ ଶୋଇଯାଇଛି ।

ଭୂତାଣୁ ଭୟ ପାଇଁ ତାଲାବନ୍ଦ କଟକଣା ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ହୃଦୟବିଦାରକ ଚିତ୍ର ଦେଖାଉଛି । ହେଲେ ବିହାରର ମୁଜାଫରପୁର ରେଳ ଷ୍ଟେନର ଏହି କେଇ ସେକେଣ୍ଡର ଭିଡ଼ିଓ ସତେ ଯେମିତି ଗରୀବ ଜୀବନର ମୂଲ୍ୟ କ’ଣ ପ୍ରଶ୍ନ କରୁଛି । କରୋନାକୁ ରୋକିବା ପାଇଁ କଟକଣା ପରେ କଟକଣା ଆଉ ଲକଡାଉନ ପରେ ଲକଡାଉନ ଚାଲିଛି କିନ୍ତୁ ଏଠି ଭାଇରସ୍ ପୂର୍ବରୁ ଭୋକର ଭଉଁରୀରେ ଜୀବନ ହାରିଛି ଜଣେ ଶ୍ରମିକ ମା । ରେଳ ଷ୍ଟେସନରେ ରାଜରାସ୍ତା, ସୋସିଆଲ ମିଡ଼ିଆରୁ ସରକାରୀ ଦଫ୍ତର ଯାଏଁ ଏହି କରୁଣ ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିବ ନିଶ୍ଚିତ । କିନ୍ତୁ ଯାହା ଉପରେ ବିତୁଛି ସେ ହିଁ ଜାଣିଛି ଯନ୍ତ୍ରଣାର ଜ୍ୱଳା ।

ମୃତ ମହିଳାଙ୍କ ସ୍ୱାମୀ କହିବା ମୁତାବକ, ଗତ ୨୩ ତାରିଖରେ ଗୁଜୁରାଟରୁ ଶ୍ରମିକ ଟ୍ରେନରେ ଘରକୁ ବାହାରିଥିଲେ । ଦୀର୍ଘ ଚାରିଦିନର ଲମ୍ବାଯାତ୍ରା ସାଙ୍ଗକୁ ଅସହ୍ୟ ତାତି ଆଉ ବାବୁ ତା ଉପରେ ଆମ ଗରିବ ବୋଲି ଦାନା ଟିକେ ଟ୍ରେନରେ ଦେଲେନି । ବାଟରେ ମୋ ସ୍ତ୍ରୀର ଦେହ ବହୁତ ଅସୁସ୍ଥ ହେବା ପରେ ଶେଷରେ ସେ ସବୁଦିନ ପାଇଁ ଚାଲିଯାଇଛି । ଏବେ ମୁଁ ତାର ଶବକୁ ମୋ ଗାଁକୁ କେମିତି ଯିବି ପ୍ରଶ୍ନ କରି କାନ୍ଦୁଛି ଶ୍ରମିକ ।

ସବୁଠୁ ବଡ଼ କଥା ହେଲା, ସାହୁକାରଠୁ ଶ୍ରମିକ, ଗାଁଠୁ ସହରର ସବୁଠି ଆତ୍ମନିର୍ଭର ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରୁଥିବା ସରକାରଙ୍କୁ ଏହି ଦୃଶ୍ୟ ଦେଶର ବାସ୍ତବ ସ୍ଥିତିକୁ ବୁଝାଉଥିବ । ତାଲାବନ୍ଦ କଟକଣା କୋହଳ ହେଲା ଆଉ ପ୍ୟାକେଜ ପରେ ପ୍ୟାକେଜ ମଧ୍ୟ ସରକାର ଘୋଷଣା କରି ଚାଲିଛନ୍ତି । କିନ୍ତୁ ସେ ଶ୍ରମିକ ବୋଲି ସହୁଛି ଆଉ ଶ୍ରମିକ ବୋଲି ଶବ ବି ପାଲଟୁଛି । ତେବେ ଶ୍ରମିକ ସ୍ୱର ଉଠାଉଛି ଆଉ ପ୍ରଶ୍ନ କରୁଛି , କାହା ପାଇଁ ଏ କୋଡ଼ିଏ ଲକ୍ଷ କୋଟି? ଯଦି ଏତେ ବଡ଼ ପ୍ୟାକେଜ୍ ଗୋଟେ ଭୋକିଲା ମା’ର ପେଟ ପୂରା କରିପାରୁନି ତା ପିଲା ମୁଣ୍ଡ ଉପରୁ ପଣତକାନି ଛଡ଼ାଇ ନେଉଛି ସେ ପ୍ୟାକେଜ୍ କାହା ପକେଟକୁ ଯାଉଛି?