ଓଡ଼ିଆ ଡାକ୍ତରଙ୍କ ସଫଳ ସମନ୍ଵିତ ଚିକିତ୍ସା ! ୬୦ କି.ମି ଦୂରରୁ ଆସିଲା ହୃତପିଣ୍ଡ, ଜୀବନ ପାଇଲେ ଆନ୍ଧ୍ରର ନାବାଳିକା

78

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଜଣେ ବାର ବର୍ଷର ଝିଅ ତ୍ରିଶା ପାଇଁ ହୋଇଥିବା ସମନ୍ଵିତ ଚିକିତ୍ସା ଯୋଜନା ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଦେଇଛି । ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଦୁଇ ଓଡ଼ିଆ ଡାକ୍ତର ସୁନୀଲ କୁମାର ସ୍ୱାଇଁ ଓ ଡା. ଭାରତ ବିଜୟ ପୁରୋହିତଙ୍କ ବିରଳ ହୃଦରୋପଣ ଅସ୍ତ୍ରୋପଚାରର ସଫଳତା ତ୍ରିଶାକୁ ନୂଆ ଜୀବନ ଦେଇଛି ।

ସୂଚନାନୁଯାୟୀ, ଗତ ଜୁଲାଇ ମାସରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତ୍ରିଶାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ହୃଦଜନିତ ସମସ୍ୟା ଭୋଗୁଥିବା ଜଣାପଡ଼ିଥିଲା । ହୃଦରୋଗ ବିଶେଷଜ୍ଞ ଡା. ସୁନୀଲ ସ୍ୱାଇଁ ତ୍ରିଶାକୁ ଦେଖିବା ପରେ ହୃଦରୋପଣ ହିଁ ଏକମାତ୍ର ସମାଧାନର ବାଟ ବୋଲି କହିଥିଲେ । ଏଥିପାଇଁ ଅଙ୍ଗଦାନ ଜରୁରୀ ହୋଇଥିବାରୁ ତେଲେଙ୍ଗାନା ସରକାରଙ୍କ ‘ଜୀବନ ଦାନ’ ସଂସ୍ଥାରେ ତ୍ରିଶାଙ୍କ ନାମ ପଞ୍ଜୀକରଣ କରାଗଲା ।

ଖବର ମିଳିଲା, କଣ୍ଟିନେଣ୍ଟାଲ ହସ୍ପିଟାଲଠାରୁ ୬୦ କିମି ଦୂର ଗ୍ଲୋବାଲ ହସ୍ପିଟାଲରେ ମସ୍ତିସ୍କ ରୋଗରେ ଆକ୍ରାନ୍ତ ଜଣେ ୧୪ ବର୍ଷୀୟା ଝିଅର ଚିକିତ୍ସା ଚାଲିଥିଲା । ତା’ର ବଞ୍ଚିବା ଆଶା ନଥିବା ଡାକ୍ତରମାନେ କହିବା ପରେ ଝିଅର ବାପା-ମା’ ନିଜ ସନ୍ତାନର ବିଭିନ୍ନ ଅଙ୍ଗ ଦାନ କରିଦେବା ପାଇଁ ସହମତି ଦେଇଥିଲେ । ତ୍ରିଶା ପାଇଁ ସେହି ଝିଅର ହୃତପିଣ୍ଡ ଆଣିବା ସ୍ଥିର ହେଲା । ଗ୍ଲୋବାଲ ହସ୍ପିଟାଲରେ ଉକ୍ତ ଝିଅର ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡକୁ ଆମ୍ବୁଲାନ୍ସ ଯୋଗେ କଣ୍ଟିନେଣ୍ଟାଲ ହସ୍ପିଟାଲକୁ ଅଣାଯିବା ବ୍ୟବସ୍ଥା ହେଲା । ଏଥିପାଇଁ ପୁଲିସ, ପ୍ରଶାସନ ସହଯୋଗରେ ଏହି ବ୍ୟସ୍ତବହୁଳ ୬୦ କିମି. ରାସ୍ତାକୁ କେଇ ଘଣ୍ଟା ପାଇଁ ଜନଶୂନ୍ୟ ଓ ଗାଡ଼ିଶୂନ୍ୟ (ଗ୍ରୀନ୍ କରିଡର) କରାଗଲା ।

ରାସ୍ତାର ସମସ୍ତ ଟ୍ରାଫିକକୁ ସିଲ୍ କରାଗଲା । ମାତ୍ର ୫୦ ମିନିଟ୍ ମଧ୍ୟରେ ୬୦ କିମି ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ସୁରକ୍ଷିତ ଭାବେ କଣ୍ଟିନେଣ୍ଟାଲ ହସ୍ପିଟାଲରେ ପହଞ୍ଚିଥିଲା । ତା’ପରେ ଡା. ସ୍ୱାଇଁ ଆରମ୍ଭ କରିଥିଲେ ତ୍ରିଶାଙ୍କ ଅସ୍ତ୍ରୋପଚାର। ପୁରୁଣା ହୃତପିଣ୍ଡ କାଢ଼ି ନୂଆଟିକୁ ଖଞ୍ଜିଥିଲେ । ଏବେ ନୂଆ ଜୀବନ ଫେରିପାଇଥିବା ତ୍ରିଶା ଗତ ୧୮ ତାରିଖରେ ହସହସ ମୁହଁରେ ଘରକୁ ଫେରିଛି । ଗୋଟିଏ ଜୀବନ ରକ୍ଷା ପାଇଁ ପ୍ରଶାସନର ଦାୟିତ୍ୱବୋଧ ଓ ଲୋକଙ୍କ ସହଯୋଗର ଏଭଳି ବିରଳ ଦୃଷ୍ଟାନ୍ତକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।