ଆଉ ମାଆ ଡାକିବି କାହାକୁ ? ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ । ଜୁଇରେ ମାଆ ଜଳିଯିବା ପରେ ଝିଅ ପାଇଁ ଅତୀତ ପାଲଟିଗଲା ‘ମାଆ ଡାକ’…

ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା କଥା ଭାବି ଝିଅ ଲୁହ ଝରାଉଥିଲା । କାରଣ ଏ କୁନି ଝିଅ ଜାଣି ସାରିଥିଲା ଆଜି ଠାରୁ ତା ମାଆ ଡାକରେ ଯବନିକା ପଡିଲା ଆଉ ମାଆ ଡାକ ତା ପାଇଁ ଅତୀତ ପାଲଟିଗଲା...

1,551

କନକ ବ୍ୟୁରୋ: ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ । ଶ୍ମଶାନରେ ଶେଷଥର ପାଇଁ ଜୁଇରେ ଜଳିଗଲା ମାଆ ଡାକ । ମଶାଣିରେ ମାଆର ଜୁଇ ସିନା ଜଳୁଥିଲା ହେଲେ ଅବଶୋଷର ନିଆଁରେ ଜଳୁଥିଲା ଝିଅର ମନ । ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା କଥା ଭାବି ଝିଅ ଲୁହ ଝରାଉଥିଲା । କାରଣ ଏ କୁନି ଝିଅ ଜାଣି ସାରିଥିଲା ଆଜି ଠାରୁ ତା ମାଆ ଡାକରେ ଯବନିକା ପଡିଲା ଆଉ ମାଆ ଡାକ ତା ପାଇଁ ଅତୀତ ପାଲଟିଗଲା…

ମାତୃ ଦିବସରେ କୋରାପୁଟ ଜୟପୁରରୁ ଆସିଛି ଏଭଳି ହୃଦୟ ବିଦାରକ କାହାଣୀ । ଯାହାକୁ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ସାରା ବିଶ୍ୱ ଯେତେବେଳେ ମଦର୍ସ ଡେ ପାଳନ କରୁଥିଲା । ମା ସହ ଫଟୋ ଛାଡି ମାଆର ସ୍ମୃତି ମନେପକାଉ ଥିଲା ଠିକ ସେତିକି ବେଳେ ଏ ଅଭାଗିନୀ ମାଆର ମୁହଁରେ ମୁଖାଗ୍ନୀ ଦେଉଥିଲା । ମାଆକୁ ମୁଣ୍ଡିଆ ମାରିବା ବଦଳରେ ମହାଯାତ୍ରା ପାଇଁ ଜୁଇ ସଜାଡୁଥିଲା, ଶେଷ ବିଦାୟ ଦେଉଥିଲା ।

ଜାନୁୟାରୀ ମାସରୁ ଏକ ମାମଲାରେ ଜୟପୁର ସବ ଜେଲରେ ବିଚାରାଧୀନ କଏଦୀ ଥିଲେ ମାଆ । ଜାମିନ ପାଇଁ ଆବେଦନ କରିଥିଲେ ବି ମୁକୁଳି ପାରୁନଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଗତ ୯ ତାରିଖ ଦିନ କାରାଗାର ଭିତରେ ଫିନାଇଲ ପିଇ ଆତ୍ମହତ୍ୟା କରିଥିଲେ ମାଆ । ବାସ୍ ତାପରେ ମାଆ ମୃତ୍ୟୁ ଖବର ପାଇ ନିଜ ସଂସାରରର ଅନ୍ତିମ ସଂସ୍କାର କରିବା ପାଇଁ ଶ୍ମାଶାନକୁ ବଢିଥିଲା ୧୫ ବର୍ଷର କୁନି ଝିଅର ସ୍ୱିଟିର ଶକ୍ତିହୀନ ପାଦ ।

ମଶାଣୀରେ ମାଆର ଶେଷକୃତ୍ୟ ସଂମ୍ପନ୍ନ କରିବା ପରେ ଅସହାୟ ଝିଅକୁ ସହାୟ ହୋଇଥିଲେ ଏ ମହିଳା ଜଣଙ୍କ । ମାଆ ମୃତ୍ୟୁ ପରେ ସ୍ୱିଟିକୁ ଶିଶୁ ମଙ୍ଗଳ ଅଧିକାରୀ ଭେଟିଥିଲେ ଆଉ ତାକୁ ସବୁ ସରକାରୀ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ମାତୃ ଦିବସରେ ମାଆ ମୁହଁରେ ମୁଖାଗ୍ନୀ ଦେଇଥିବା ସ୍ୱିଟି ପରପାରିରେ ଥିବା ମାଆର ଅଧୁରା ସ୍ୱପ୍ନ ପୂରା କରି ଭଲ ମଣିଷ ହେବାକୁ ପଣ କରିଛି…