୩୨ ହଜାର ଫୁଟ୍ ଉପରେ ହୃଦଘାତର ଶିକାର ହେଲେ ଏହି ଯାତ୍ରୀ ! କିଛି ଏଭଳି ଭାବେ ବଞ୍ଚିଲା ଜୀବନ ।

31

ବିମାନରେ ଯାତ୍ରା କରିବା ଆରାମଦାୟକ ହୋଇଥାଏ ସତ, କିନ୍ତୁ ବେଳେବେଳେ ଯାତ୍ରା ସମୟରେ ବିପଦ ମଧ୍ୟ ଆସିଥାଏ । ତେବେ ଆପଣ କେବେ ଭାବିଛନ୍ତି ମଝି ଆକାଶରେ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ଅବନତି ଘଟିଲେ ଆପଣ କଣ କରିବେ । ଠିକ୍ ଏହିଭଳି ହିଁ କିଛି ଘଟିଛି ମୁମ୍ବାଇ ପାଇଁ ଯାତ୍ରା କରୁଥିବା ଜଣେ ବିମାନ ଯାତ୍ରୀଙ୍କ ସହ । ମଝି ଆକାଶରେ ପାଖାପାଖି ୩୨ ହଜାର ଫୁଟ ଉପରେ ଜଣେ ଯାତ୍ରୀ ହୃଦଘାତର ଶିକାର ହୋଇଛନ୍ତି । ତେବେ ଘଟଣାଟି ଥିଲା କିଛି ଏପରି ।

ଓଡିଶା ନିବାସୀ ଭାରତୀୟ ନୌସେନାର ଅଧିକାରୀ, ଅମରଜିତ୍ ତ୍ରିପାଠୀ ଇଣ୍ଡିଗୋର ଫ୍ଲାଇଟ୍ ସଂସ୍ଥା ୬ଇ-୩୧୭୫ରେ ମୁମ୍ବାଇ ପାଇଁ ଉଡାଣ ଭରୁଥିଲେ । ୧୧.୫୦ ମିନିଟ୍ ସମୟରେ ସେ ବିମାନରେ ଉଡାଣ ଭରିଥିଲେ ଏବଂ ୧.୧୫ ମିନିଟରେ ତାଙ୍କ ହାର୍ଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ । ତେବେ ସେହି ସମୟରେ ବିମାନଟି ୩୨ ଫୁଟ ଉଚ୍ଚତାରେ ପାଟନା ଉପରେ ରହିଥିଲା । ଏହା ପରେ ପ୍ଲେନରେ ବସିଥିବା ଜଣେ ଡାକ୍ତର ପାଇଲଟଙ୍କ ନିକଟକୁ ସନ୍ଦେଶ ପଠାଇଥିଲେ ଯେ, ଜଣେ ଯାତ୍ରୀଙ୍କୁ ହାର୍ଟଆଟାକ୍ ହୋଇଛି ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ପାଇଲଟ୍ ତୁରନ୍ତ ପାଟନା ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିଥିଲେ । ଏବଂ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ଅନୁମତି ମିଳିବା ପରେ ୧୫ ମିନିଟ ମଧ୍ୟରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହା ପରେ ଏୟାରପୋର୍ଟରେ ଥିବା ଡାକ୍ତର ତୁରନ୍ତ ଅମରଜିତଙ୍କର ଚିକିତ୍ସା କରିଥିଲେ । ଏହା ସହ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଅମରଜିତ୍ ତ୍ରିପାଠି ସୁସ୍ଥ ଥିବା ଜଣାପଡିଛି । ସେପଟେ ପାଖାପାଖି ୧ ଘଣ୍ଟା ବିଳମ୍ବ ପରେ ବିମାନଟି ମୁମ୍ବାଇ ପାଇଁ ପୁଣି ଥରେ ଉଡାଣ ଭରିଥିଲା ।