ଯୁବକଙ୍କ ଠାରେ ବଢୁଛି ହୃଦଘାତ ସମସ୍ୟା : ଜାଣନ୍ତୁ ହୃଦଘାତର ଲକ୍ଷଣ ଓ କାରଣ

56

ଆଜିକାଲି ୩୦-୪୦ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ବଢ଼ୁଛି । ଅନିୟନ୍ତ୍ରିତ ରକ୍ତଚାପ ଓ ମଧୁମେହ, ରକ୍ତରେ ଅତ୍ୟଧିକ କୋଲେଷ୍ଟେରଲ୍ ମାତ୍ରା, ଧୂମପାନ, ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ମାନସିକ ଚିନ୍ତା ହୃଦଘାତର ମୁଖ୍ୟ କାରଣ । ଏଥିସହିତ ଅତ୍ୟଧିକ ଚର୍ବି, ଶର୍କରା ଓ ଲୁଣଯୁକ୍ତ ଖାଦ୍ୟ, ତମାଖୁ ସେବନ ହୃଦଘାତ ଆଶଙ୍କା ବଢ଼ାଏ । ବଂଶଗତ କାରଣରୁ ମଧ୍ୟ ହୃଦଘାତ ହୋଇପାରେ । ହୃତପିଣ୍ଡକୁ ଯାଇଥିବା ଧମନୀ ବା ରକ୍ତବାହୀ ନଳୀର ସ୍ଥାନେ ସ୍ଥାନେ ଚର୍ବିର ଅସ୍ତରଣ କମିଯିବା ଦ୍ୱାରା ଧମନୀ କ୍ରମଶଃ ସରୁ ହୋଇଯାଏ ।

ରକ୍ତ ଜମାଟ ବାନ୍ଧିଲେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇପାରେ ନାହିଁ କିମ୍ବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୁଏ । ଧମନୀ ଦ୍ୱାରା ରକ୍ତ ପାଉଥିବା ହୃତପିଣ୍ଡର ମାଂସପେଶୀ ଅକାମି ହୋଇପଡେ । ଏହା ହୃଦଘାତ ବା ହାର୍ଟ ଆଟାକ । ହୃଦଘାତ ହେଲେ ଛାତିର ମଧ୍ୟଭାଗରେ ହଠାତ୍ ଯନ୍ତ୍ରଣା ହୁଏ , ଗଳା, ଦାନ୍ତ ମୂଳ, ପିଠ. ପେଟର ଉଭୟ ଭାଗରେ ଯନ୍ତ୍ରଣା ଅନୁଭୂତ ହୋଇପାରେ । ଛାତିକୁ ଚାରିପଟୁ ବାନ୍ଧି ଦିଆଯିବା ଭଳି ରୋଗୀକୁ ଅନୁଭୂତ ହୁଏ । ଝାଳ ବହେ, ଅଣ ନିଃଶ୍ୱାସୀ ଲାଗେ । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବିନା ଛାତି ଯନ୍ତ୍ରଣାରେ ହୃଦଘାତ ହୋଇପାରେ । ଏଥିପ୍ରତି ସଚେତନ ରହିଲେ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇପାରିବ ।