ସୁପ୍ରିମକୋର୍ଟରେ ଟ୍ରିପଲ ତଲାକର ନିୟମିତ ଶୁଣାଣି ଆରମ୍ଭ ! ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ

47

କନକ ବ୍ୟୁରୋ : ବହୁଚର୍ଚ୍ଚିତ ତିନ ତଲାକ୍ ବିବାଦର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ତିନି ତଲାକ ଓ ବହୁପତ୍ନୀ ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ରିଟ ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଆଜିଠୁ ୧୯ ତାରିଖ ଯାଏଁ ଏହି ମାମଲାର ଶୁଣାଣି କରାଯିବ । ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ୭ଟି ଆବେଦନର ଶୁଣାଣି କରୁଛନ୍ତି ।

ଏଥିମଧ୍ୟରୁ ମୁସଲମାନ ମହିଳା ୫ଟି ଆବେଦନ କରିଛନ୍ତି । ୫ ଜଣ ଭିନ୍ନ ଭିନ୍ନ ଧର୍ମର ବିଚାରପତି ତିନି ତଲାକର ଶୁଣାଣି କରୁଛନ୍ତି । ଶିଖ ଧର୍ମୀ ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହର, ଖ୍ରୀଷ୍ଟ୍ରିଆନ ଧର୍ମୀ କୋରିଆନ ଜୋସେଫ, ଆରଏଫ ନରିମାନ ପାର୍ସି, ହିନ୍ଦୁ ଧର୍ମର ୟୁ ୟୁ ଲଳିତ ଏବଂ ମୁସଲମାନ ଧର୍ମର ଅବଦୁଲ ନଜିର ଏହାର ଶୁଣାଣି କରୁଛନ୍ତି । ତିନି ତଲାକ ଉପରେ ସମୀକ୍ଷା କରାଯିବ ।

ବହୁ ବିବାହ ଉପରେ ସମୀକ୍ଷା କରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତିନି ତଲାକ କଣ ଧର୍ମର ବିଭିନ୍ନ ଅଂଗ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୩ ତଲାକ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗ୍ରୀଷ୍ମ ଅବକାଶ ଓ ଶନିବାର ରବିବାର ଦିନ ମଧ୍ୟ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଏହି ଦୃଷ୍ଟିରୁ ମାମଲାର ଶୁଣାଣିକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।