ତେଲ ନ ପଡିଥିଲେ ସାଲାଡ ଖାଇବା ବୃଥା ! ଗବେଷଣାରୁ ମିଳିଲା ନୂଆ ତଥ୍ୟ

65

ସୁସ୍ଥ ଶରୀର ପାଇଁ ପ୍ରାତଃଭୋଜନରେ ପ୍ରାୟ ସମସ୍ତ ଲୋକ ସାଲାଡ ଖାଇଥାନ୍ତି । ତେଲ ଜାତୀୟ ଖାଦ୍ୟ ଅପେକ୍ଷା ସାଲାଡକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ବିଭିନ୍ନ ସତେଜ ଫଳକୁ ନେଇ ପ୍ରସ୍ତୁତ ହୋଇଥିବା ସାଲାଡ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । କିନ୍ତୁ ଏକ ଗବେଷଣାରୁ ଜଣାଯାଇଛି ଯେ, ପରିବା ସାଲାଡରେ ତେଲ ପକାଇ ଖାଇଲେ ଏହା ଶରୀରକୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ପ୍ରଦାନ କରିଥାଏ । ଅଧ୍ୟୟନରୁ ଜଣାପଡିଛି, ସାଲାଡରେ କିଛି ମାତ୍ରାରେ ସୋୟାବିନ ତେଲ ପକାଇ ଖାଇଲେ ଏହା ଶରୀର ପାଇଁ ଉପକାରୀ ହୋଇଥାଏ । ସାଲାଡ୍ ପରିବାରେ ଥିବା ଆଠ ପ୍ରକାର ଭିନ୍ନ ଭିନ୍ନ ସୂକ୍ଷ୍ମ ପୋଷକତତ୍ତ୍ୱଗୁଡ଼ିକୁ ଶୋଷଣ କରାଇବାରେ ତେଲ ମାନବ ଶରୀରକୁ ସହାୟତା କରେ।

ତେଲ ନ ପକାଇ ସାଲାଡ୍ ଖାଇଲେ ଉକ୍ତ ପୋଷକତତ୍ତ୍ୱ ସବୁକୁ ଶରୀର ଅତି କମ୍ ମାତ୍ରାରେ ଏବଂ କେତେକ କ୍ଷେତ୍ରରେ ଆଦୌ ଶୋଷଣ କରିପାରେ ନାହିଁ। ଗବେଷଣାରୁ ଜଣା ପଡ଼ିଛି ଯେ ମିଶ୍ରିତ ସାଲାଡ୍ ପନିପରିବାରେ ଥିବା ଆଠ ପ୍ରକାର ପୋଷକତତ୍ତ୍ୱକୁ ବିଶୋଷଣ କରିବାରେ ତୈଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ପୋଷକତତ୍ତ୍ୱରେ ରହିଛି ଆଲଫା ଏବଂ ବିଟା କେରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଭଳି ଚାରିଟି କେରୋଟିନଏଡସ୍। ଭିଟାମିନ୍ ଏ’କୁ ବିଶୋଷଣ କରିବା ପାଇଁ ତୈଳ ମଧ୍ୟ କାମ କରିଥାଏ

salad 2ପୋଷକତତ୍ତ୍ୱ ଉତ୍ତମ ରୂପେ ବିଶୋଷଣ ହେଲେ ଶରୀରକୁ ଅନେକ ସ୍ୱାସ୍ଥ୍ୟଗତ ଉପକାର ମିଳିଥାଏ। ପରିବାପତ୍ରରେ ଗୋଳା ଯାଉଥିବା ତୈଳର ପରିମାଣ ସହ ପୋଷକତତ୍ତ୍ୱ ବିଶୋଷଣ ପରିମାଣର ଆନୁପାତିକ ସମ୍ପର୍କ ରହିଛି। ଅର୍ଥାତ୍ ତୈଳର ପରିମାଣ ଯେତେ ଅଧିକ ହେବ ପୋଷକତତ୍ତ୍ୱ ବିଶୋଷଣ ପରିମାଣ ସେତେ ଅଧିକ ହେବ ବୋଲି ଅଧ୍ୟୟନ କହୁଛି। ଗବେଷିକା ହ୍ଵାଇଟ୍ କହନ୍ତି: ଏହାକୁ ବୁଝାଇବାର ସର୍ବୋତ୍ତମ ଉପାୟ ହେଉଛି ସାଲାଡ୍ ଡ୍ରେସିଙ୍ଗ୍ ପାଇଁ ଦୁଇ ଗୁଣ ତେଲ ବ୍ୟବହାର କଲେ ପୋଷକତତ୍ତ୍ୱ ବିଶୋଷଣ ମଧ୍ୟ ଦୁଇ ଗୁଣ ହେବ।କିନ୍ତୁ ସାଲାଡରେ ଅଧିକ ମାତ୍ରାରେ ତେଲ ବ୍ୟବହାର କରିବା ଆଦୌ ଉଚିତ ନୁହେଁ ।

୩୨ ଗ୍ରାମ୍ ବା ଦୁଇ ଟେବଲ୍ ଚାମଚରୁ କିଛି ଅଧିକ ପରିମାର ତେଲ ଗୋଳାଯାଇଥିବା ସାଲାଡ୍ ଖାଇବାଦ୍ୱାରା ସର୍ବାଧିକ ପୋଷକତତ୍ତ୍ୱ ବିଶୋଷିତ ହୋଇଥିବା କଥା ଅଧ୍ୟୟନରୁ ଜଣା ପଡ଼ିଛି। ହ୍ଵାଇଟ୍ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ପୋଷକତତ୍ତ୍ୱ ବିଶୋଷଣ ନିମନ୍ତେ ତୈଳର ବ୍ୟବହାର ଫଳପ୍ରଦ ହେଉଛି। ଅର୍ଥାତ୍ ସାଲାଡରେ ତୈଳର ବ୍ୟବହାର ପୋଷକତତ୍ତ୍ୱ ବିଶୋଷଣ ଧାରକୁ ବଢ଼ାଇବାରେ ସମର୍ଥ ହେଉଛି।
‘ଦି ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି।