ସ୍ୱାଭିମାନ ଅଂଚଳରେ ସୁଧୁରିଛି ସ୍ୱାସ୍ଥ୍ୟସେବା : ଗାଁ ଦାଣ୍ଡରେ ରୋଗୀ ସେବା ଯୋଗାଉଛନ୍ତି ଡାକ୍ତର

63

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ବଦଳିଛି ଚିକିତ୍ସା ବ୍ୟବସ୍ଥା । କ୍ୱାକ ପରିବର୍ତ୍ତେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଭ୍ରାମ୍ୟମାନ ଚିକିତ୍ସକ ଦଳ । ହେଲେ ବିଡମ୍ବନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ଯୋଗୁଁ ଘର ଅଗଣାରେ ସେବା ଯୋଗାଉଛନ୍ତି ସ୍ୱେଚ୍ଛାସେବୀ ସଂସ୍ଥାର ଡାକ୍ତର ମାନେ । ଦିନ ଧାର୍ଯ୍ୟ କରି ଗାଁ ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଯାଉ ଥିବା ବେଳେ ସ୍ୱାଭିମାନ ଅଂଚଳରେ ନୂତନ ଡାକ୍ତରଖାନା ଦାବି ହୋଇଛି । ତେବେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ ହବ ବୋଲି କହିଛନ୍ତି ମାଲନକାଗିରି ଜିଲ୍ଲାପାଳ ।

ପୂର୍ବରୁ ସାପ୍ତାହିକ ହାଟରେ ଔଷଧର ପସରା ମେଲେଇ ନିରୀହ ଆଦିବାସୀଙ୍କୁ ଲୁଟୁ ଥିଲେ କ୍ୱାକମାନେ । ହେଲେ ଏବେ ପ୍ରଶାସନ ଓ ସ୍ୱାସ୍ଥ ବିଭାଗର ତାଗିଦ ଯୋଗୁ କ୍ୱାକମାନଙ୍କ ଦୋକାନ ବନ୍ଦ ହେବା ସହ ମାଗଣାରେ ଗାଁ ଦାଣ୍ଡରେ ପ୍ରଥମିକ ସ୍ୱାସ୍ଥ୍ୟ ସେବା ପାଉଛନ୍ତି ସ୍ୱାଭିମାନି ମଣିଷ ।

ଏବେ ଆସନ୍ତୁ ଜାଣିବା କେମିତି ଚାଲିଛି ଚିକିତ୍ସା?

– ଆରୋଗ୍ୟ ପ୍ଲସ ଯୋଜନାରେ ପି.ପି.ପି ମୋଡରେ ଏକ ସ୍ୱେଚ୍ଛା ସେବୀ ସଙ୍ଗଠନ ଚିକିତ୍ସା ଦାୟିତ୍ୱ ନେଇଛି ।

– ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ନିଯୁକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଁ ଦାଣ୍ଡରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ସ୍ୱାଭିମାନି ମଣିଷଙ୍କୁ ନିୟମିତ ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦିଆଯାଉଛି ।

– ଅବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ସ୍ୱାସ୍ଥ କେନ୍ଦ୍ର ରୋଗୀଙ୍କୁ ନିକଟତମ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରୁଛି । ତେବେ ଭ୍ରାମ୍ୟମାଣ ଚିକିତ୍ସା ଚାଲିଥିବା ବେଳେ ସ୍ଥାନୀୟ ଲୋକ ଯନ୍ତାପାଇ କିମ୍ବା ପାପେରମେଟଲା ଠାରେ ନୁତନ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର ଖୋଲିବା ପାଇଁ ଦାବି କରିଛନ୍ତି ।

ସେପଟେ ଜିଲ୍ଲା ପ୍ରଶାସନର ଯୋଜନା ମୁତାବକ, ସ୍ୱାଭିମାନ ଅଂଚଳରେ ମୋଟ ୭ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲା ଯିବ । ଜାନବାଇ ଓ ଯୋଡାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତିଭୂମି ବିକାଶ କରାଯାଇ ସେଠାରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।