ଆଗ ଆନ୍ଦୋଳନ, ତା’ପରେ ରୋଗୀ ସେବା ! ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଯୋଗୁଁ ଆବଶ୍ୟକୀୟ ସେବା ପାଇ ପାରୁନାହାନ୍ତି ରୋଗୀ, ନିରାମୟ କେନ୍ଦ୍ରରେ ଔଷଧ ଦେଉଛନ୍ତି ଅନଭିଜ୍ଞ ସ୍ୱାସ୍ଥ୍ୟକର୍ମୀ

17

କନକ ବ୍ୟୁରୋ : ୫ ଦଫା ଦାବୀ ନେଇ ଆଜିଠୁ ରାଜଧାନୀ ଭୁବନେଶ୍ୱର ଠାରେ ଆନ୍ଦୋଳନ ଆରମ୍ଭ କରିଛି ଓଡିଶା ଫାର୍ମାସିଷ୍ଟ ସଂଘ । ଫଳରେ ଡାକ୍ତରଖାନା ଗୁଡିକରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ରୋଗୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକୀୟ ସେବା ନପାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ରୋଗୀ । ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଯୋଗୁଁ ନିରାମୟ ସେବା ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ଅନଭିଜ୍ଞ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ବିକଳ୍ପ ପନ୍ଥା ଆପଣେଇଛି ସ୍ୱାସ୍ଥ୍ୟ ବିଭାଗ ।

ଏମରଜେନ୍ସି ଓାର୍ଡ ଷ୍ଟ୍ରେଚରରେ ପଡି ରହିଛନ୍ତି ରୋଗୀ । ସେବା ଯୋଗାଇବାକୁ କେହି ନାହାନ୍ତି । ବର୍ହିବିଭାଗ ଓ ନିରାମୟ କାଉଂଟରରେ ମଧ୍ୟ ରୋଗୀଙ୍କ ଲମ୍ବା ଧାଡି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫାର୍ମାସିଷ୍ଟମାନେ ୫ ଦଫା ଦାବୀ ନେଇ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ବେଳେ ରୋଗୀ ହେଉଛନ୍ତି ହନ୍ତସନ୍ତ । ରୋଗୀଙ୍କୁ ସାଲାଇନ ଓ ଇଂଜେକ୍ସନ ଦେବା ପାଇଁ କେହି ନାହାନ୍ତି । ଏଭଳି ପରିସ୍ଥିତିରେ ଅନଭିଜ୍ଞ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ କାମ ଚଳାଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ଗ୍ରେଡ ପେ ଲାଗୁ, କ୍ୟାର ରିଷ୍ଟ୍ରକଚର, ଠିକା ଫାର୍ମାସିଷ୍ଟଙ୍କ ସ୍ଥାୟୀ ନିଯୁକ୍ତି ପରି ୫ ଦଫା ଦାବି ନେଇ ଭୁବନଶ୍ୱରରେ ଆନ୍ଦୋଳନ ଚଳାଇଛି ଫାର୍ମାସିଷ୍ଟ ମହାସଂଘ । ଅନ୍ୟପଟେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱାସ୍ଥ୍ୟକର୍ମୀ ଆଣି ମୁଖ୍ୟ ଚିକିତ୍ସାଳୟରେ କାମଚଳା ସେବା ଯୋଗାଉଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଫଳରେ ରୋଗୀ ସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।  ଆଗକୁ ନିର୍ବାଚନ ଓ ଏବେ ବିଧାନସଭା ଜାରି ରହିଥିବା ବେଳେ ରାଜଧାନୀରେ ଆନ୍ଦୋଳନକାରୀଙ୍କ ଭିଡ ଲାଗିଛି । ଫାର୍ମାସିଷ୍ଟଙ୍କ କ୍ଷେତ୍ରରେ ରାଜ୍ୟ ସରକାର କି ନିଷ୍ପତି ନେବେ ତାହା ଉପରେ ନଜର ।