ବୈଜୟନ୍ତଙ୍କ ଷଡଯନ୍ତ୍ରର ଗୁମର ଖୋଲିଲେ ନବୀନ । କହିଲେ, ମୋ ସ୍ଥାନ ନେବାକୁ ଚାହୁଁଥିଲେ ପୂର୍ବତନ ସାଂସଦ, ଟ୍ୱିଟ୍ କରି ଜବାବ ଦେଲେ ବୈଜୟନ୍ତ ।

1,354

କନକ ବ୍ୟୁରୋ : ବ୍ୟାୟାମ ଭିଡିଓରେ ବୈଜୟନ୍ତଙ୍କ ଷଡଯନ୍ତ୍ରର ଗୁମର ଖୋଲିଲେ ନବୀନ । ବିଜେଡି ସୁପ୍ରିମୋଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ଗୁଜବ କରାଯାଉଥିଲା ତାହା ଉପରୁ ପରଦା ହଟାଇଛନ୍ତି ଖୋଦ ନବୀନ । ନିଜର ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବୈଜୟନ୍ତ ଏଭଳି ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ଏପରିକି ବୈଜୟନ୍ତ ତାଙ୍କ ସ୍ଥାନ ନେବାକୁ ଚାହୁଁଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି ନବୀନ । ଯାହା ରାଜ୍ୟ ରାଜନୀତିରେ ବଡ ଧରଣର ହଟଚମଟ ସୃଷ୍ଟି କରିଛି ।


ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେବା ସମୟରେ ନିଜକୁ ଫିଟ୍ ଥିବା ଦର୍ଶାଇଛନ୍ତି ନବୀନ । ଏହାସହ ଆଗାମୀ ନିର୍ବାଚନରେ ଓଡିଶାବାସୀଙ୍କ ପାଇଁ ସେ ଲଢିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବୈଜୟନ୍ତ ଅପପ୍ରଚାର କରୁଥିବା ବିଜେଡି କହିଥିଲା । ଏପରିକି ବୈଜୟନ୍ତଙ୍କ ଏକାନ୍ତ ଅନୁଗତ ତଥା ରାଜନୈତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ବୈଜୟନ୍ତଙ୍କୁ ଫାଇନାନ୍ସ କମିଟିରେ ନ ରଖିବା ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ କେନ୍ଦ୍ରାପଡା ସାଂସଦ ଅପପ୍ରଚାର କରିଥିଲେ ବୋଲି ଗଣମାଧ୍ୟମରେ କହିଥିଲେ ଦେବାଶିଷ । ଯେଉଁଥିପାଇଁ ବୈଜୟନ୍ତଙ୍କ ହାତ ମଧ୍ୟ ଛାଡିଥିଲେ ଦେବାଶିଷ ।

ନିର୍ବାଚନ ଋତୁରେ ନବୀନଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦଳ ଭିତରେ ରହି ବୈଜୟନ୍ତ ଦଳୀୟ ସୁପ୍ରିମୋଙ୍କ ବିରୋଧରେ ଯେଉଁ ଷଡଯନ୍ତ୍ର ରଚୁଥିଲେ ତାହା ଉପରୁ ପରଦା ହଟାଇଛନ୍ତି ଖୋଦ ନବୀନ । ଫିଟନେସ ଭିଡିଓରେ ନବୀନ ଫିଟ୍ ଥିବା ବାର୍ତ୍ତା ଦେଇଥିବା ବେଳେ ଏବେ ବୈଜୟନ୍ତଙ୍କ ଷଡଯନ୍ତ୍ରର ଗୁମର ଖୋଲିଛନ୍ତି । ଏହାସହ ନବୀନଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ଗୁଜବ କରାଯାଉଥିଲା ତାହା ପଛର ମୁଖ୍ୟ ଖଳନାୟକ କିଏ ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ।


ନବୀନଙ୍କ ଏହି ବୟାନକୁ ନେଇ ମୁହଁ ଖୋଲିଛନ୍ତି ବୈଜୟନ୍ତ । ନବୀନଙ୍କ ସମସ୍ତ କଥାକୁ ମିଛ ବୋଲି କହିବା ସହ ଏଭଳି ଅରୋପ ନ ଲଗାଇବାକୁ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି । ନବୀନ ଓ ବୈଜୟନ୍ତଙ୍କ ଏଭଳି ରାଜନୈତିକ ଆରୋପ-ପ୍ରତ୍ୟାରୋପକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ନିଜର ଫିଟନେସକୁ ନେଇ ନବୀନ କହିଛନ୍ତି, କେବଳ କ୍ୟାମେରା ସାମ୍ନାରେ ନୁହେଁ ବରଂ ସବୁଦିନ ସେ ଏହା କରିଥାନ୍ତି ।