ଦଇବ ସାଧିଛି ଦାଉ ! କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ୩ବର୍ଷର ଭାଗ୍ୟଶ୍ରୀ

39

କନକ ବ୍ୟୁରୋ : ଦଇବ ସାଧିଛି ଦାଉ । କିଡନୀ ରାଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ୩ ବର୍ଷ ବୟସର ଭାଗ୍ୟଶ୍ରୀ । ଘରେ ଯାହା କିଛି ସମ୍ବଳ ଥିଲା ବିକିଭାଙ୍ଗି ଝିଅର ଚିକିତ୍ସାରେ ଲଗାଇ ଦେଇଛନ୍ତି ବାପା ମା । ଏବେ କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ଥିଲେ ମଧ୍ୟ ଟଙ୍କା ଯୋଗାଡ ହୋଇପାରୁ ନାହିଁ ।

ହସଖୁସିରେ ଖେଳୁଛି ୩ବର୍ଷୀୟ ଭାଗ୍ୟଶ୍ରୀ । ହେଲେ ଜାଣିନି ଯେ, ସେ କିଡନୀ ରୋଗରେ ଆକ୍ରାନ୍ତ । ଆଶା ଓ ଆଶଙ୍କାରେ କଟୁଛି ଦିନ । ବର୍ଷକର ହୋଇଥିବା ବେଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲା କେନ୍ଦ୍ରାପଡା ଜିଲ୍ଳା ଜମୁନାବାଦ ଗାଁର ନଗେନ୍ଦ୍ର ସାହୁଙ୍କ ଝିଅ ଭାଗ୍ୟଶ୍ରୀ । କଟକ ଶିଶୁଭବନ ଓ ପରେ କୋଲକାତାରେ ଚିକିତ୍ସାରୁ ଜଣାପଡିଥିଲା ଯେ, ତାଙ୍କର ଗୋଟିଏ କିଡନୀ ସମ୍ପୂର୍ଣ୍ଣ ଭାବେ ଅକାମି ହୋଇଯାଇଛି । ଆଉ ଗୋଟିଏ କିଡନୀ ମଧ୍ୟ ୫୦ପ୍ରତିଶତ କାମ କରୁଛି । ଧାରକରଜ କରି ଦୁଇ ବର୍ଷ ହେଲା ଝିଅର ଚିକିତ୍ସା କରୁଛନ୍ତି ପରିବାର ତେବେ ଅଧିକ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ।

ରାଜ୍ୟ ବାହାରେ କାମ କରି ପରିବାର ଚଳାଉଥିବା ନଗେନ୍ଦ୍ରଙ୍କ ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇପଡିଛି । ଅଧିକ ଚିକିତ୍ସା ପାଇଁ ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳିଲେ ହୁଏତ ୩ବର୍ଷୀୟ ଭାଗ୍ୟଶ୍ରୀ ସୁସ୍ଥ ଜୀବନ ଯାପନ କରିପାରିବ । ତେବେ ଏନେଇ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କିମ୍ବା ଓଏସଡିଏଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି ।

ଭାଗ୍ୟଶ୍ରୀଙ୍କ ଅଧିକ ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆସିବ ତାକୁ ନେଇ ଚିନ୍ତାରେ ପୁରା ପରିବାର । ତେବେ ପ୍ରଶାସନ ଯଥା ଶୀଘ୍ର ସାହାଯ୍ୟର ହାତ ବଢାଇଲେ ସୁସ୍ଥ ଭାବେ ଜୀବନ ଜିଇଁବେ ୩ବର୍ଷୀୟ ଭାଗ୍ୟଶ୍ରୀ ।