ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନ୍ଧାରି ବିଜେ ! ଅଚାନକ୍ କଟକ ଶିଶୁଭବନ ପରିଦର୍ଶନ କଲେ ପ୍ରତାପ ଜେନା, ରୋଗୀ ଏବଂ ସଂପର୍କୀୟଙ୍କଠାରୁ ବୁଝିଲେ ସୁବିଧା-ଅସୁବିଧା

42

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନ୍ଧାରି ବିଜେ । ରାତି ଅଧିଆ ଅଚାନକ ଶିଶୁ ଭବନ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ ସମ୍ପର୍କୀୟ ମାନଙ୍କୁ ଚିକିତ୍ସା ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ ମନ୍ତ୍ରୀ । ହଠାତ୍ ମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶିଶୁଭବନ ପରିଦର୍ଶନ କରିବା ପରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଶିଶୁଭବନରେ ଆହୁରି ବହୁତ କିଛି ପରିବର୍ତନର ଆବଶ୍ୟକତା ରହିଛି ।

ଏବେ ନବୀନଙ୍କ ନୂଆ ବିଗ୍ରେଡ ଫୁଲ ଜୋଶରେ ରହିଛନ୍ତି । ଖାସକରି ପ୍ରତାପ ଜେନା ସମସ୍ତଙ୍କ ଠାରୁ ଆଗରେ । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦ୍ୱାୟିତ୍ୱ ପାଇବା କ୍ଷଣି ୟୁପି ଷ୍ଟାଇଲକୁ ଆପଣାଇ ନେଇଥିଲେ ପ୍ରତାପ । ଆକ୍ସନ ଦେଖାଇବାରେ ଟିକିଏ ବି ଅବହେଳା କରୁ ନାହାନ୍ତି ପ୍ରତାପ । ଦ୍ୱାୟିତ୍ୱ ନେଉ ନେଉ ପ୍ରଥମେ ଅଚାନକ୍ ପରିର୍ଦାନ କରିଥିଲେ କ୍ୟାପିଟାଲ ହସ୍ପିଟାଲ । ହସ୍ପିଟାଲ ପରିସରରେ ପୁରା ଦେଶୀ ଲୁକରେ ନଜର ଆସିଥିଲେ ପ୍ରତାପ । ଧଳା କୁର୍ତ୍ତୀ ବଦଳରେ ହାଫ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ପୂରା ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପ୍ରତାପ । ରୋଗୀଙ୍କୁ ଠିକ୍ ଚିକିତ୍ସା ମିଳୁଛି କି ନାହିଁ? ଡାକ୍ତର ଠିକ୍ ଟାଇମରେ ଆସୁଛନ୍ତି କି ନାହିଁ? ପ୍ରେସକ୍ରିପସନରେ ଲେଖାଯାଉଥିବା ଔଷଧ ହସପିଟାଲରେ ମିଳୁଛି କି ନାହିଁ ? ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ବୁଝିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

କିନ୍ତୁ ସେତେବେଳେ ପ୍ରତାପଙ୍କ ହଠାତ୍ ହସ୍ପିଟାଲ ପରିଦର୍ଶନକୁ ଅନେକ ନେତା ଏପରିକି ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମ ରାଉତ ବିରୋଧ କରିଥିଲେ । ପ୍ରତାପଙ୍କ ଏଭଳି ଅନ୍ଦାଜକୁ ଦାମ ଉପରଦେଖାଣିଆ ବୋଲି କହିଥିଲେ । ଏପରିକି କ୍ୟାପିଟାଲ ହସ୍ପିଟାଲ ପାଖରେ ପ୍ରତାପଙ୍କ ଘର । ତେଣୁ ସେ ପ୍ରତିଦିନ ରୋଗୀଙ୍କୁ ଦେଖୁଥିବେ ବୋଲି ଦାମ କଟାକ୍ଷ କରିଥିଲେ । କିନ୍ତୁ ଶିଶୁଭବନକୁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନ୍ଧାରି ବିଜେ କରିବା ପରେ ଆଉ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ କରାଯାଇ ନପାରେ । ତେବେ ଏହି ଟ୍ରେଣ୍ଡ କେତେଦିନ ଲାଗି ରହିବ ତାହା ଦେଖିବାକୁ ବାକି ରହିଲା ।