ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ! କହିଲେ, ତଥ୍ୟ ପ୍ରମାଣ ସହ ଲୁଣ ଚିକିତ୍ସାର ଦେବେ ଉତର

143

କନକ ବ୍ୟୁରୋ : ମହଙ୍ଗା ପଡ଼ିଛି ଲୁଣ ଚିକିତ୍ସା । ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି । ସେପଟେ ତଥ୍ୟ ପ୍ରମାଣ ସହ ଲୁଣ ଚିକିତ୍ସାର ଉତର ଦେବେ ବୋଲି କହିଛନ୍ତି ଅଶ୍ୱିନୀ ପୂଜାହାରୀ ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସରକାର ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି । ଏହାଛଡ଼ା ବାଧ୍ୟତାମୂଳକ ଛୁଟିରେ ଯିବାକୁ ତାଙ୍କୁ ନିର୍ଦ୍ଦେଶନାମା ପଠାଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେଟ୍ଟା । ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟକୁ ମଧ୍ୟ ତାଙ୍କ ନିକଟକୁ ପଠାଯାଇଛି । ଯଦି ତିନି ଦିନ ମଧ୍ୟରେ ଉତର ନଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ତାଗିଦ କରିଛନ୍ତି । ତେବେ ଜବାବ ଦେବା ପର୍ଯ୍ୟନ୍ତ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗତକାଲି ଭିମସାର ନିର୍ଦ୍ଦେଶକ ଡାକ୍ତର ପୂଜାହାରୀ ଅପରେସନ୍ କରିବେନି ବୋଲି ଘୋଷଣା କରିଥିଲେ । ଡାକ୍ତର ଅଶ୍ୱନୀ ପୂଜାହାରୀ ଆଉ ଅପରେସନ୍ କରିବେ ନାହିଁ ବୋଲି ନିଜ ଆଡୁ ଚିଠି ଲେଖି ସର୍ଜରୀ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଥିଲେ । ଏହାସହ ସେ ସର୍ଜରୀ ୟୁନିଟ୍-୧ ଦାୟିତ୍ୱ ଛାଡିଦେଇଥିବା ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ । କର୍କଟ ରୋଗର ଲୁଣ ଚିକିତ୍ସା କରି ବିବାଦୀୟ ହୋଇ ପଡିଥିଲେ ଡାକ୍ତର ଅଶ୍ୱନୀ ପୂଜାହରୀ । ତାଙ୍କୁ ହଟାଇବା ଦାବିରେ ଜୁନିୟର ଡାକ୍ତର ସଂଘ ଆନ୍ଦୋଳନ ଜାରି ରଖିଛନ୍ତି ।

ଗତ ଅଗଷ୍ଟ ୨୭ ତାରିଖରେ ଜଣେ କର୍କଟ ରୋଗୀଙ୍କୁ ଲୁଣ ଚିକିତ୍ସା କରି ବିବାଦୀୟ ହୋଇ ପଡିଥିଲେ ଡାକ୍ତର ଅଶ୍ୱନୀ ପୂଜାହରୀ । ଜଣେ କ୍ୟାନସର ରୋଗୀଙ୍କ ଅପରେସନ୍ ବେଳେ ଲୁଣ ଢ଼ଳା ଯାଉଥିବାର ଚିତ୍ର ପ୍ରଥମେ କନକ ନ୍ୟୁଜ ଦେଖାଇଥିଲା । ଚିକିତ୍ସା ନାଁରେ ରୋଗୀର ଜୀବନ ସହ କେମିତି ଖେଳ ଖେଳା ଯାଇପାରେ ତାର ଚିତ୍ର ସାରା ଓଡିଶା ଦେଖିଲା । ଚିକିତ୍ସାର କିଛି ଘଂଟା ଭିତରେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହି ଲୁଣ ଚିକିତ୍ସା ଯୋଗୁଁ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛି ଜୁନିୟର ଡାକ୍ତର ସଂଘ । କେବଳ ଅଭିଯୋଗ କରିନି, ବରଂ ତଥ୍ୟପ୍ରମାଣ ଏବଂ ମୃତ ରୋଗୀଙ୍କ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ସହ ଅଭିଯୋଗ ଆଣିଛି ।