ରହିବନି ଡାକ୍ତର ସମସ୍ୟା: ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ବୃଦ୍ଧି କରିବେ ରାଜ୍ୟ ସରକାର ।

ବଢ଼ିବ ଡାକ୍ତରଙ୍କ ବୟସ ସୀମା: ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ଅଧିକ ୨ ବର୍ଷ ବୃଦ୍ଧି କରିବା ପାଇଁ ଯୋଜନା ।

270

କନକ ବ୍ୟୁରୋ: ଆଉ ରହିବନି ଡାକ୍ତର ସମସ୍ୟା । ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫୋକସରେ ସ୍ୱାସ୍ଥ୍ୟସେବା । ରାଜ୍ୟରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିଜ୍ଞା । ସିଡ଼ିଏମଓ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି କି, ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟରତଥିବା ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୨ବର୍ଷ ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ଯାହାଦ୍ୱାରା ଏବେ ୬୮ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି ପାଇବ ।

ସେହିପରି କେଉଁ ଜିଲ୍ଲାରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି ତାହାର ରିପୋର୍ଟ ଦେବାକୁ ସିଡ଼ିଏମଓ ସମ୍ମିଳନୀରେ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଏନେଇ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ସମ୍ମିଳନୀରେ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନବ ଦାସ । ତେବେ ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ସେହିଭଳି ପୂର୍ବରୁ ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଥିଲା । ରାଜ୍ୟର ମେଡ଼ିକାଲ କଲେଜମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଡାକ୍ତରଙ୍କ ବୟସ ସୀମା ୬୫ ବର୍ଷକୁ ବଢାଯାଇଥିଲା ।