ନିଜେ ହାତରେ ଝାଡୁ ଧରି ପାଇଖାନା ସଫା କଲେ ପ୍ରଧାନଶିକ୍ଷକ । ରାଜଗଡ଼ର ରାଜେନ୍ଦ୍ରଙ୍କୁ ନେଇ ଗର୍ବିତ ରାଜ୍ୟ ।

371

କନକ ବ୍ୟୁରୋ : ପ୍ରଧାନ ଶିକ୍ଷକଙ୍କ ମହନୀୟତା । ବିଦ୍ୟାଳୟ ପରିସରକୁ ସଫା ରଖିବାକୁ ନିଜେ ଝାଡୁ ଧରିଛନ୍ତି ପ୍ରଧାନ ଶିକ୍ଷକ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ରାଜଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କଥା । ଯିଏ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି ।

ଏହି ଚିତ୍ର ଦେଖି ଆପଣ ଭାବୁଥିବେ ଏହି ବ୍ୟକ୍ତି ଜଣକ ସ୍କୁଲର ଝାଡୁଦାର । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଏହି ସ୍କୁଲର ପ୍ରଧାନ ଶିକ୍ଷକ । ସେ ଚାହିଁଥିଲେ ଅନ୍ୟ କାହାକୁ ଡାକି ସ୍କୁଲ ପରିସର ସଫା କରିପାରିଥାନ୍ତେ । ନିର୍ଦ୍ଦେଶ ଦେଇଥିଲେ ସ୍କୁଲ ପରିଚାରିକା ସଫେଇ କରିଥାନ୍ତା । ହେଲେ ପ୍ରଧାନ ଶିକ୍ଷକ ନିଜେ ଝାଡୁ ଧରି ବିଦ୍ୟାଳୟ ସଫେଇ କରୁଛନ୍ତି । କେବଳ ସ୍କୁଲ ପରିସର ନୁହେଁ ଶୌଚାଳୟର ସଫେଇ ମଧ୍ୟ କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଏପରି ମହନୀୟତାକୁ ନେଇ ସ୍ଥାନୀୟ ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି ।

ରାଜେନ୍ଦ୍ର ପ୍ରସାଦ ଦାସ, ରାଜଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେବା ପରଠୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ଘର ଦ୍ୱାର ଭୁଲିଯାଇଛନ୍ତି । କେତେବେଳେ ସ୍କୁଲ ସଫେଇ ପୁଣି କେତେବେଳେ ବଗିଚା କାମ । ସକାଳ ୭ରୁ ରାତି ୮ଟା ଯାଏଁ ବିଦ୍ୟାଳୟରେ ରହି ବିଭିନ୍ନ କାର୍ଯ୍ୟ କରିଥାନ୍ତି । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାକୁ ଉଦ୍ୟମ କରୁଛନ୍ତି । ରାଜଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଏପରି ମହତ କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।