ସ୍ତ୍ରୀକୁ ମାଡମାରିବି, ଦୟାକରି ଅନୁମତି ଦିଅନ୍ତୁ ! ଜାଣନ୍ତୁ କାହିଁକି ଏସପିଙ୍କ ପାଖକୁ ଏଭଳି ଚିଠି ଲେଖିଲେ ହେଡ୍ କନେଷ୍ଟବଳ ।

25

ଛତିଶଗଡର ରାୟଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ପୋଲିସ କର୍ମଚାରୀ ଏସପିଙ୍କ ପାଖକୁ ଏକ ଚିଠି ଲେଖି ସ୍ତ୍ରୀକୁ ମାଡ ମାରିବା ପାଇଁ ଅନୁମତି ମାଗିଛନ୍ତି । ପ୍ରକୃତ ଘଟଣା ହେଉଛି, ଆସନ୍ତା ଜୁନ ମାସ ୨୫ ତାରିଖରେ ପୋଲିସରେ ଥିବା କର୍ମଚାରୀ ମାନଙ୍କ ପରିବାର ଲୋକେ ରାଜଧାନୀ ରାୟପୁରରେ ଧାରଣା ଦେବାକୁ ଯାଉଛନ୍ତି । ସରକାର ଚେଷ୍ଟା କରୁଛନ୍ତି କି, ପୋଲିସ କର୍ମଚାରୀ ମାନେ ତାଙ୍କ ପରିବାରବର୍ଗଙ୍କୁ ଧାରଣାରେ ସାମିଲ ହେବାରେ ରୋକନ୍ତୁ । ତେଣୁ ରାୟଗଡା ଜିଲ୍ଲା ଥାନାର ହେଡ କନେଷ୍ଟବଳ ସଂଜୟ କୁମାର ତାଙ୍କ ସ୍ତ୍ରୀକୁ ଏହି ଧାରଣାରେ ସାମିଲ ନହେବା ପାଇଁ ବାରଣ କରିଥିଲେ ।

ସ୍ତ୍ରୀ, ସ୍ୱାମୀଙ୍କ କଥା ନମାନିବାରୁ ସ୍ତ୍ରୀକୁ ମାଡମାରିବା ପାଇଁ ଏସିପିଙ୍କ ପାଖକୁ ଏକ ଚିଠି ଲେଖିଥିଲେ ସଂଜୟ । ଯେଉଁଥିରେ ଲେଖାଥିଲା ମୋ ସ୍ତ୍ରୀ ଏକ ରାଜନୈତିକ ପରିବାର ସହ ସମ୍ପର୍କ ରଖିଛି । ସେହି ପରିବାରର ନିର୍ଦ୍ଦେଶ କ୍ରମେ ମୋ ସ୍ତ୍ରୀ ସମସ୍ତ କାର୍ଯ୍ୟ କରୁଛି । ଏବଂ ଆସନ୍ତା ୨୫ ତାରିଖରେ ରାୟପୁରରେ ହେବାକୁ ଥିବା ଧାରଣାରେ ସାମିଲ ହେବା ପାଇଁ ମନସ୍ତ କରିଛି । କିନ୍ତୁ ମୁଁ ଏହା ଚାହେଁ ନାହିଁ । ତେଣୁ ଧାରଣାରେ ସାମିଲ ହେବାରେ ରୋକିବା ପାଇଁ ସ୍ତ୍ରୀକୁ ମାଡ ମାରିବା ଆବଶ୍ୟକ ପଡିଯାଇଛି ବୋଲି ସଂଜୟ ଚିଠିରେ ଏସପିଙ୍କୁ ଅନୁମତି ମାଗିଛନ୍ତି । କିନ୍ତୁ ସଂଜୟଙ୍କ ଏହି ପତ୍ର ଉପରେ ଏସପି କେଉଁଭଳି ପଦକ୍ଷେପ ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।