ଯୋଗଗୁରୁ ବାବା ରାମଦେବଙ୍କୁ ଝଟକା ! ପତଞ୍ଜଳୀ ସାବୁନ୍ ବିଜ୍ଞାପନରେ ଅଙ୍କୁଶ ଲଗାଇଲେ ବମ୍ବେ ହାଇକୋର୍ଟ

180

Ramdevକନକ ବ୍ୟୁରୋ : ଖାଉଟି ବଜାରରେ ସୁନାମୀ ପରି ପ୍ରବେଶ କରିଥିବା ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଛି ଝଟକା । ଆଗାମୀ ଶୁଣାଣି ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟ ପତଞ୍ଜଳୀ ସାବୁନର ବିଜ୍ଞାପନର ପ୍ରସାରଣ ଉପରେ ଅଙ୍କୁଶ ଲଗାଇଛନ୍ତି ।  ଏଫଏମଏସଜି କମ୍ପାନି ହିନ୍ଦୁସ୍ଥାନ ୟୁନିଲିବରର ନାମୀ ସାବୁନ ଲକ୍ସ, ପିୟର୍ସ, ଲାଇଫବୟ ଓ ଡୋଭ୍ ସାବୁନକୁ ପତଞ୍ଜଳି ବିଜ୍ଞାପନରେ ତାତ୍ସଲ୍ୟ କରା ଯାଇଥିଲା । ଏହି ବିଜ୍ଞାପନରେ ଆହୁରି ମଧ୍ୟ କୁହାଯାଇଥିଲା କି ଏହା କେମିକାଲଯୁକ୍ତ ସାବୁନ, ଏହାର ବ୍ୟବହାରକୁ ବନ୍ଦ କରି ପ୍ରାକୃତିକ ସାବୁନ ବ୍ୟବହାର କରନ୍ତୁ। ଏହି ସାବୁନ ବିଜ୍ଞାପନକୁ ପତଞ୍ଜଳୀ ପକ୍ଷରୁ ସେପ୍ଟେମ୍ବର ୨ରେ ପ୍ରସାରଣ କରାଯାଇଥିଲା । ସୋମବାର ସେପ୍ଟେମ୍ବର ୪ରେ ହିନ୍ଦୁସ୍ଥାନ ୟୁନିଲିବର ଏହି ବିଜ୍ଞାପନ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଆବେଦନ କରିଥିଲା । ପତଞ୍ଜଳୀର ଏହି ବିଜ୍ଞାପନକୁ ହାଇକୋର୍ଟ ରୋକି ଦେଇଛନ୍ତି । ଏହି  ମାମଲାର ଆଗାମୀ ଶୁଣାଣି ସେପ୍ଟେମ୍ବର ୧୮ ତାରିଖରେ ହେବ।

picତେବେ ପତଞ୍ଜଳୀକୁ ନେଇ ବିବାଦ ଏହା ପ୍ରଥମ ଘଟଣା ନୁହେଁ ।  ଏହା ପୂର୍ବରୁ ପତଞ୍ଜଳୀ  ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ଚିନି ମିଶାଯାଉଥିବା ନେଇ ଅଭିଯୋଗ ଆସିଥିଲା  । ଲକ୍ଷ୍ନୌର ଏକ ଲ୍ୟାବରେ ଟେଷ୍ଟ୍ ହେବା ପରେ ଏହି ସାଂଘାତିକ୍ ରିପୋର୍ଟ ସାମ୍ନାକୁ ଆସିଥିଲା । ତେବେ ଏନେଇ କମ୍ପାନୀକୁ ନୋଟିସ୍ ଦିଆଯିବ ବୋଲି କହିଥିଲେ ଜିଲ୍ଲା ଅଧିକାରୀ ।

ଗତ ବର୍ଷ ଡିସେମ୍ବର ମାସରେ ଲକ୍ଷ୍ନୌ ବିଘାପୁର ସ୍ଥିତ ଅନେକ ଦୋକାନରେ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ପତଞ୍ଜଳୀର ମେରୀ ବିସ୍କୁଟ୍ ଏବଂ ମହୁର ନମୁନା ଯାଂଚ୍ ପାଇଁ ପଠାଯାଇଥିଲା । ତେବେ ୬ ମାସ ପରେ ଯାଂଚ୍ ରିପୋର୍ଟ ଆସିଲା ପରେ ଜଣାପଡିଲା ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ଚିନିର ମାତ୍ରା ମିଳିଛି ।

ପତଞ୍ଜଳୀର ମେରୀ ବିସ୍କୁଟ୍ ପ୍ୟାକେଟରେ ଶତ ପ୍ରତିଶତ ଅଟାରେ ତିଆରି କରାଯାଉଥିବା ଲେଖାହୋଇଥିବା ବେଳେ ଏଥିରେ ମଇଦା ସହ ସିନ୍ଥେଟିକ୍ ରଙ୍ଗ ମିଶାଯାଉଛି । ଅନ୍ୟପଟେ ମହୁରେ ଚିନି ମିଶାଯାଉଛି । ପ୍ରଥମେ ପତଞ୍ଜଳୀ ନୁଡୁଲ୍ସ ଏବଂ ଆମଲା ଜୁସ୍ ପରେ ଏବେ ବିସ୍କୁଟ୍ ଆଉ ମହୁରେ ମିଶ୍ରଣ ଅଭିଯୋଗ । ଯାହା ଯୋଗଗୁରୁ ରାମଦେବଙ୍କୁ ଦେଇଛି ଝଟକା । ସେହିପରି ପତଞ୍ଜଳୀ ନୁଡୁଲ୍ସକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା  ।