କଟକଣା ଭିତରେ ହେବ ଜଗା ଦର୍ଶନ : କରୋନା ପାଇଁ ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତ୍ତି . . . . ଭିତର କାଠ ଦର୍ଶନ ବନ୍ଦ, ଅରୁଣ ଓ ଗରୁଡ ସ୍ତମ୍ଭ ଛୁଇଁ ପାରିବେନି ଶ୍ରଦ୍ଧାଳୁ, ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଦେବାକୁ ପଡ଼ିବ ଘୋଷଣାପତ୍ର

213

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ କରୋନା କଟକଣା । ଭକ୍ତ ଏବଂ ସେବାୟତମାନଙ୍କୁ କିପରି କରୋନା ସଂକ୍ରମଣ ନହେବ ସେନେଇ ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବଡ କଥା ହେଲା, ଶ୍ରୀମନ୍ଦିରରେ ପୂଜା ବେଳେ ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଭକ୍ତ ଛୁଇଁବା ମନା । ଅପ୍ରିଲ ୧୫ ତାରିଖ ଯାଏଁ ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଲାଗିଛି ।

ଯେତେବେଳେ କୌଣସି ବ୍ୟକ୍ତି ଉପରେ ବିପଦ ମାଡିଆସେ, ସେତେବେଳେ ସେ ଏହି କଳାଠାକୁରକୁ ଡାକେ । ଆଉ ଏବେ ଯେତେବେଳେ କରୋନା ଏକ ବିପଦ ହୋଇ ମାଡିଆସୁଛି, ସେତେବେଳେ ଠାକୁରଙ୍କ ପାଖକୁ ଆସିବା ତ ସ୍ୱାଭାବିକ କଥା । କିନ୍ତୁ କରୋନା ଭୂତାଣୁ ଏକ ଏଭଳି ବିପଦପୂର୍ଣ୍ଣ ଭାବରେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଛି, ଯେ ସେହି କଳାଠାକୁରଙ୍କୁ ଦର୍ଶନ କରିବା ବେଳେ ଆପଣଙ୍କୁ କିଛି କଟକଣା ଦେଇଯିବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗ ବୈଠକରେ ବ୍ୟାପକ ଆଲୋଚନା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ନଜର ପକାନ୍ତୁ ଶ୍ରୀମନ୍ଦିରରେ କଣ ରହିଛି କରୋନା କଟକଣା
• ପୁରୀ ମନ୍ଦିରରେ ପ୍ରବେଶ ପୂର୍ବରୁ ଘୋଷଣାପତ୍ର ଦେବାକୁ ହେବ
• କେଉଁଠୁ ଆସିଥିଲେ, କୁଆଡେ ଯାଇଥିଲେ ସେନେଇ ଦର୍ଶନାର୍ଥୀ ଫର୍ମ ପୂରଣ କରିବେ
• ଶ୍ରୀମନ୍ଦିରରେ ପୂଜା ବେଳେ ବା ସେବା ସମୟରେ ସେବାୟତମାନେ ମାସ୍କ ପିନ୍ଧିବେ
• ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ
• ଭକ୍ତଙ୍କ ଆଖିରେ କର୍ପୂର ଲଗାଇପାରିବେନି ସେବାୟତ
• ଜଗମୋହନ ନିକଟରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି
• ଅରୁଣସ୍ତମ୍ଭକୁ ଛୁଇଁବା ମନା ଏବଂ ଜନସମାଗମ ଉପରେ କଟକଣା
• ଗରୁଡସ୍ତମ୍ବକୁ ମଧ୍ୟ ଛୁଇଁ ପାରିବେ ନାହିଁ
• ଆନନ୍ଦବଜାରରେ ବସିବା ଏବଂ ଅବଢ଼ା ଖାଇବାରୁ ଦୁରେଇ ରହିବାକୁ ପରାମର୍ଶ
• ଘରେ ନେଇ ଅବଢ଼ା ଖାଇବାକୁ ପରାମର୍ଶ
• ଏପ୍ରିଲ ୧୫ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ
• ଭିତରକାଠ ପାଖରେ ଠାକୁର ଦର୍ଶନ ଉପରେ କଟକଣା
• ଜଗମୋହନ ଭିତରେ ଜନସମାଗମ ଉପରେ କଟକଣା
• କୌଣସି ଦେବାଦେବୀ ଏବଂ ପଦାର୍ଥକୁ ଛୁଇଁବାକୁ ବାରଣ କରାଯାଇଛି
ପୁରୀରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିୟମ ପ୍ରଣୟନ କରିବା ପାଇଁ କ୍ଷମତା ଦିଆଯାଇଛି ।