ଯୋଗ ପାଇଁ ୨୫ ମିନିଟ ! ଶରୀର ରହିବ ଫିଟ୍, ଦୂର ହେବ ମାନସିକ ଓ ଶାରିରୀକ କ୍ଳାନ୍ତି

123

ଆଜିକାଲି ଲୋକମାନେ କାମକୁ ନେଇ ବେଶ ଯତ୍ନବାନ । କିନ୍ତୁ ଲୋକମାନେ କାମ କରିବା ଭିତରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ପାଉ ନାହାନ୍ତି । ତେଣୁ ବିଭିନ୍ନ ରୋଗ ଶରୀରକୁ ମାଡି ବସି ଧରୁଛି ଏବଂ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଉଛି । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଭିତରେ ଶରୀର ପ୍ରତି ଧ୍ୟାନ ରଖିବା ମଧ୍ୟ ନିହାତି ଜରୁରୀ । ମାତ୍ର କିଛି ମିନିଟର ବ୍ୟାୟାମ ମଧ୍ୟ ଆପଣ ଶରୀରକୁ ଫିଟ୍ ରଖିବା ସହ ଆରାମ ଦେଇଥାଏ । ପ୍ରତିଦିନ ୨୫ ମିନିଟ ସମୟ  ଯୋଗ କରିବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ପାଇବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

ଆଧୁନିକ ସମାଜରେ ଏବେ ଯୋଗର ଟ୍ରେଣ୍ଡ । ବ୍ୟସ୍ତବହୁଳ ଜୀବନରେ ମଧ୍ୟ ଲୋକମାନେ କିଛି ସମୟ ଯୋଗ କରିବାକୁ ଆଦୌ ଭୁଲୁନାହାନ୍ତି । ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାର ଏକମାତ୍ର ମାଧ୍ୟମ  । ଏକ ଗବେଷଣା ଅନୁଯାୟୀ, ପ୍ରତିଦିନ ଯୋଗର କିଛି ନିର୍ଦ୍ଦିଷ୍ଟ ଆସନ, ପ୍ରାଣାୟମ ଓ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଶାରୀରିକ କ୍ଲାନ୍ତି ମଧ୍ୟ ଦୂର ହୋଇଥାଏ । ଏହାଦ୍ୱାରା ମସ୍ତିଷ୍କରେ ଥିବା ସମସ୍ତ ସ୍ନାୟୁ ଠିକ୍ ଭାବେ ସଂଚାଳିତ ହୋଇଥାଏ । ତା ସହିତ ଜୀବନର ଲକ୍ଷ୍ୟକୁ ନେଇ ଆସୁଥିବା ଭାବନାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ ।

କାନାଡାର ଓଣ୍ଟାରିଓ ସ୍ଥିତ ବାଟରୁଲ ବିଶ୍ୱବିଦ୍ୟାଳୟର ପ୍ରଫେସର ପିଟର ହଲଙ୍କ କହିବା ଅନୁଯାୟୀ, ପ୍ରତିଦିନ ସକାଳେ ଗଭୀର ଧ୍ୟାନ କରିବା ପରେ ଯୋଗର ବିଭିନ୍ନ ଆସନ କରିବା ଦ୍ୱାରା ଶରୀର ଉପରେ ସକରାତ୍ମକ ପ୍ରଭାବ ପଡିଥାଏ ।  ଏହାର ଫଳାଫଳ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ ଓ କାର୍ଯ୍ୟ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ ମଧ୍ୟ ହୋଇଥାଏ ।

ହଠ ଯୋଗ ଏବେ ବିଦେଶରେ ଅଧିକ ଲୋକପ୍ରିୟ । ବିଦେଶର ଅଧିକାଂଶ ଲୋକମାନେ ଏବେ ଯୋଗର ଏହି ଆସନ କରୁଛନ୍ତି । ଏହି ଯୋଗରେ ବିଭିନ୍ନ ଶାରୀରିକ ଆସନ ଓ ନିଶ୍ୱାସ ପ୍ରଶ୍ୱାସକୁ ବ୍ୟାୟାମ ସହ ଯୋଡା ଯାଇଥାଏ । ତା ଛଡା ଗଭୀର ଧ୍ୟାନ କରିବା ଦ୍ୱାରା ଭାବନାକୁ ଆୟତ୍ତ କରିବା ସହ ଶରୀରକୁ ଉତ୍ତେଜିତ ହେବାରୁ ରକ୍ଷା କରିଥାଏ ।

ହଠ ଯୋଗ ( ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନ କରିବାର ଏକ ମୁଦ୍ରା) ଓ ଗଭୀର ଧ୍ୟାନ କରିବା ଦ୍ୱାରା ଶରୀର ମଧ୍ୟରେ ଏକ ଅପୂର୍ବ ଉର୍ଜା ସଂଚାରିତ କରିବାରେ ସହାୟକ ହୋଇଥାଏ । ତେବେ ଖାଲି ଧ୍ୟାନ କରିବା ତୁଳନାରେ ପ୍ରତିଦିନ ଯୋଗ ଓ ସହ ଧ୍ୟାନ କରିବା ଶରୀରକୁ ଫୁର୍ତ୍ତି ରଖିବା ସହ ଅଫୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏଭଳି ରିପୋର୍ଟ ମାଇଣ୍ଡଫୁଲନେସ ପତ୍ରିକାରେ ପ୍ରକାଶ ପାଇଛି ।