କ’ଣ ସତରେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେଇଛନ୍ତି ସଲମାନ୍ ଖାନ୍ ? କ’ଣ ରହିଛି ଏହି ଖବର ପଛର ସତ୍ୟତା ,ଜାଣନ୍ତୁ । 

10,994

ଗତ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଥିବା ଗରିବ ଗାୟିକା ରାନୁ ମଣ୍ଡଳ ଏବେ ଖୁବ୍ ଚର୍ଚ୍ଚିତ ହୋଇଯାଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ସୁମଧୁର କଣ୍ଠରେ ଗାଇଥିବା ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ରିୟଲିଟି ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି । ବେଶପରିପାଟୀରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ସ୍ୱଳ୍ପରେ କହିବାକୁ ଗଲେ ଗୋଟିଏ ଭାଇରାଲ୍ ଭିଡିଓ ରାନୁଙ୍କ ଭାଗ୍ୟକୁ ହିଁ ବଦଳାଇ ରଖିଦେଇଛି । ଏକ ରିୟଲିଟି ଶୋ’ରୁ ରାନୁଙ୍କୁ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଗାୟକ ହିମେଶ୍ ରେସମିୟା ମଧ୍ୟ ସାଇନ୍ କରିଛନ୍ତି । ସେ ଗାଇଥିବା ତେରୀ ମେରୀ କାହାନୀ ସଂଗୀତର ରେକର୍ଡିଂଟି ମଧ୍ୟ ଖୁବ୍ ଭାଇରାଲ୍ ହୋଇଛି ଏବଂ ଏହାକୁ ନେଇ କିଛି ବିବାଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ ରାନୁଙ୍କୁ ସଲମାନଙ୍କ ସହାନୁଭୁତି ମିଳିଥିବା ଖବର ଭାଇରାଲ୍ ହେଉଛି । କେତେବେଳେ ରାନୁଙ୍କ ଗୀତ ଶୁଣି ସଲମାନଙ୍କ ଆଖିରେ ଲୁହ ଆସିଥିବା କଥା କୁହାଯାଉଛି ତ ଆଉ କେତେବେଳେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେଇଥିବା କଥା ଶୁଣିବାକୁ ମିଳିଛି । ତେବେ ଏହି କଥାରେ କେତେ ସତ୍ୟତା ରହିଛି ଆସନ୍ତୁ ଜାଣିବା ।

ଗାୟକ ହିମେଶ୍ ରେସମିୟା ରାନୁଙ୍କୁ ନିଜ ସିନେମାରେ ଗୀତ ଗାଇବା ପାଇଁ ଅଫର୍ ଦେଲାବେଳେ  ସଲମାନଙ୍କ ପିତା ସଲିମ୍ ଖାନ୍ ଙ୍କ କଥା ରଖି କହିଥିଲେ , ଯେତେବେଳେ ବି ତୁମକୁ କେହି ପ୍ରତିଭା ଦେଖାଯିବ ତୁମେ ଏହି ପ୍ରତିଭାକୁ ସଫଳତାର ଶୀର୍ଷରେ ପହଁଚାଇବାକୁ ଚେଷ୍ଟା କରିବ । ଏହି କଥାରୁ ହିଁ ସଲମାନଙ୍କ ସଙ୍ଗେ ରାନୁଙ୍କ ସମ୍ବନ୍ଧ ପରୋକ୍ଷରେ ଜଡିତ ଥିବା କଥା ଗଣମାଧ୍ୟମରେ ପ୍ରସାରିତ ହୋଇଗଲା । କିଛି ଗଣମାଧ୍ୟମ ମୁତାବକ , ସଲମାନ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେବା ସହ ତାଙ୍କୁ ଆଗାମୀ ସିନେମା ‘ଦବଙ୍ଗ ୩’ ରେ ଗୀତ ଗାଇବା ପାଇଁ ମଧ୍ୟ ମଉକା ଦେଇଛନ୍ତି । ଏହି ଖବର ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମ ଚାରିଆଡେ ଏହା ଝଡ ଭଳି ପ୍ରସାରିତ ହେଲା । ତେବେ ବର୍ତ୍ତମାନ ଏହି ଖବରକୁ  ସମ୍ପୁର୍ଣ୍ଣ ଭାବେ ଗୁଜବ ବୋଲି କୁହାଯାଉଛି ।

ବଲିଉଡ୍ ଭାଇଜାନ୍ ଙ୍କ ବଦାନ୍ୟତା ବିଷୟରେ ତ ସମସ୍ତେ ଜାଣିଛନ୍ତି । ସଲମାନ୍ ସାହାଯ୍ୟ /ସହାୟତା ପାଇଁ ଖୁବ୍ ଚର୍ଚ୍ଚିତ । କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆରେ ଛପିଥିବା ଏକ ଖବର ମୁତାବକ , ସଲମାନ୍ ରାନୁଙ୍କୁ ଏଭଳି କୌଣସି ଅଫର୍ ଦେଇନାହାନ୍ତି । ଗଣମାଧ୍ୟମ ପକ୍ଷରୁ ସଲମାନଙ୍କ ଏକ ପାଖଲୋକଙ୍କ ସହ କଥାବାର୍ତ୍ତା କରାଯାଇଥିଲା । ଯାହାପରେ ଏହି ଖବରରେ କୌଣସି ସତ୍ୟତା ନଥିବା କଥା ସେ କହିଥିଲେ । ସଲମାନଙ୍କୁ ନେଇ ଆଗରୁ ମଧ୍ୟ ଗୁଜବ ପ୍ରସାରିତ ହୋଇଛି ଯେ ସେ ଛାତ୍ର ନେତା କହ୍ନେୟା କୁମାରଙ୍କ ଜୀବନୀ “ତାଣ୍ଡବ” ରେ ଅଭିନୟ କରିବେ । କିନ୍ତୁ ଏହି ଖବରରେ ତିଳେମାତ୍ର ସତ୍ୟତା ନାହିଁ । ଯେଉଁ ଭିଡିଓରେ ସଲମାନ କାନ୍ଦୁଥିବା ନଜର ଆସୁଛନ୍ତି ସେହି ଖବରରେ ମଧ୍ୟ ସତ୍ୟତା ନଥିବା କଥା କୁହାଯାଉଛି ।