ନାସା ନୁହେଁ ‘ବିକ୍ରମ’ର ଭଗ୍ନାବଶେଷ ଖୋଜିଥିଲେ ଭାରତୀୟ ଇଞ୍ଜିନିୟର । ମାତ୍ର ୨ଟି ଲାପଟପରେ ବିକ୍ରମର ସଠିକ ଅବସ୍ଥିତି ଜଣାଇଥିଲେ ସାନମୁଗା, ଯାଞ୍ଚ ପରେ ସ୍ପଷ୍ଟ କଲା ନାସା ।

584

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ଭଗ୍ନାବଶେଷ । ନାସାର ଲୁନାର ଅରବିଟର କ୍ୟାମେରା ବିକ୍ରମର ଏହି ଭଗ୍ନାବଶେଷକୁ ଠାବ କରିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଟ୍ୱିଟ୍ କରି ଏହି ସୂଚନା ଦେଇଛି । ନାସା ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ଠାବ ହୋଇଯାଇଛି । ଚନ୍ଦ୍ରର ଫଟୋରେ ଦେଖାଯାଉଥିବା ନୀଳ ଓ ସବୁଜ ରଙ୍ଗର ଚିହ୍ନ ଗୁଡିକ ଚନ୍ଦ୍ରପୃଷ୍ଠରେ ବିକ୍ରମ କ୍ରାସ ହେବା ପରର ଚିତ୍ର । ଲ୍ୟାଣ୍ଡର କ୍ରାସ୍ ହେବାର ଦୀର୍ଘଦିନ ପରେ ନାସା ଏହି ଖବର ସାମ୍ନାକୁ ଆଣିଛି । ତେବେ ନାସା ସିନା ଏହି ଖବର ସାମ୍ନାକୁ ଆଣିଛି କିନ୍ତୁ ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ ଠାବ କରିବା ପଛର ମୁଖ୍ୟ ନାୟକ ସାଜିଛନ୍ତି ଭାରତର ସାନମୁଗା ସୁବ୍ରମଣ୍ୟମ । ଆଉ ଏଥିପାଇଁ ସେ ଅନେକ ରାତି ଅନିଦ୍ରା ହୋଇଛନ୍ତି ।

ସାନମୁଗା ସୁବ୍ରମଣ୍ୟମ । ଚେନ୍ନାଇର ଏହି ଯୁବ ଇଞ୍ଜିନିୟର ଦୀର୍ଘ ୩ ମାସ ଧରି ଲ୍ୟାଣ୍ଡର ବିକ୍ରମକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଗତ ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ କରିଥିଲା ଲ୍ୟାଣ୍ଡର ବିକ୍ରମ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀର ଅବତରଣ ପାଇଁ ଯୋଜନା ହୋଇଥିଲା । ହେଲେ ଅବତରଣର ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଆଉ ଏହାପରେ ଲ୍ୟାଣ୍ଡର ବିକ୍ରମର ଅବସ୍ଥିତି ଜାଣିବା ପାଇଁ ଉଭୟ ଇସ୍ରୋ ଓ ନାସା ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସେମିତି ସଫଳତା ମିଳିନଥିଲା । ଯେଉଁଥିପାଇଁ ଚନ୍ଦ୍ରପୃଷ୍ଠର ଫଟୋ ଛାଡି ଲ୍ୟାଣ୍ଡର ବିକ୍ରମର ଅବସ୍ଥିତି ଖୋଜିବା ପାଇଁ ସହଯୋଗ ମାଗିଥିଲା ନାସା ।

ଆଉ ଏହାପରେ ସତେ ଯେମିତି ସାନମୁଗାଙ୍କ ଆଖିରୁ ନିଦ ହଜି ଯାଇଥିଲା । ଅଫିସରୁ ଫେରିବା ପରେ ବିକ୍ରମ ଲ୍ୟାଣ୍ଡରର ସ୍ଥିତି ଜାଣିବାକୁ ଲାପଟପ ଧରି ବସିଯାଉଥିଲେ । ଗୋଟିଏ ଲ୍ୟାପଟପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପୂର୍ବର ଦୃଶ୍ୟ ଓ ଅନ୍ୟ ଲାପଟପରେ ଲ୍ୟାଣ୍ଡର କ୍ରାସ ହେବା ପରେ ଚନ୍ଦ୍ରପୃଷ୍ଠର ଫଟୋ ତୁଳନା କରିବା ଆରମ୍ଭ କରିଥିଲେ ସାନମୁଗା । ଅଫିସରୁ ରାତି ୮ଟାରୁ ଫେରିବା ପରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଏହି କାମରେ ଲାଗି ପଡୁଥିଲେ । ଅଫିସ ପରେ ହାତରେ ସମୟ ବିଶେଷ ନଥିବାରୁ ସକାଳ ୬ଟାରୁ ଉଠି ପୁଣି ବିକ୍ରମର ଭଗ୍ନାବଶେଷ ଖୋଜିବାରେ ଲାଗି ପଡିଥିଲେ ସାନମୁଗା । ଲ୍ୟାଣ୍ଡିଂ ସାଇଟର ୭୫୦ ମିଟର ଦୂରରୁ ଏକ ଧଳା ବିନ୍ଦୁ ଦେଖିବାକୁ ମିଳିଥିଲା ଯାହାକୁ ଲ୍ୟାଣ୍ଡିଂ ପୂର୍ବ ଫଟୋରେ ଦେଖିବାକୁ ପାଇନଥିଲେ ସାନମୁଗା । ଏହିଭଳି ଫଟୋକୁ ମେଳ କରୁ କରୁ ଅକ୍ଟୋବର ୩ରେ ନାସା ଓ ଇସ୍ରୋକୁ ବିକ୍ରମର ଅବସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ସାନମୁଗା । ଆଉ ଏହାର ସତ୍ୟତା ଯାଞ୍ଚ କରିବାକୁ ନାସା ଓ ଇସ୍ରୋକୁ କହିଥିଲେ ସାନମୁଗା ।

ବିକ୍ରମର ଅବସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ସାନମୁଗାଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା । ଯେଉଁଥିପାଇଁ ପୁଣିଥରେ ରାତି ଅନିଦ୍ରା ହୋଇ ଏହି ଫଟୋକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସାନମୁଗା । ନାସା ପକ୍ଷରୁ ମଧ୍ୟ ଏହି ଫଟୋର ସତ୍ୟତା ଯାଞ୍ଚ ଆରମ୍ଭ ହୋଇସାରିଥିଲା । ଏହିଭଳି ପ୍ରାୟ ୪୫ ଦିନ ରାତି ଅନିଦ୍ରା ପରେ ନଭେମ୍ବରରେ ନାସା ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ଉଠାଇଥିଲା । ଆଉ ଏହି ଫଟୋ ହିଁ ସାନମୁଗାଙ୍କ ଦ୍ୱନ୍ଦ୍ୱକୁ ଦୂର କରିଥିଲା । ଏହି ଫଟୋକୁ ପୂରା ଯାଞ୍ଚ କରିବା ପରେ ନାସା ପକ୍ଷରୁ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ନେଇ ସ୍ପଷ୍ଟ ସୂଚନା ମିଳିଥିଲା ଏବଂ ଏହାର ଫଟୋ ମଧ୍ୟ ଜାରି କରିଥିଲା ନାସା । ଆଉ ଏଥିପାଇଁ ସାନମୁଗାଙ୍କୁ ପ୍ରଂଶସା କରିବାକୁ ଭୁଲିନଥିଲା ନାସା । ଏନେଇ ସାନମୁଗା କହିଛନ୍ତି, ପିଲାଟି ବେଳୁ ମହାକାଶବିଜ୍ଞାନ ପ୍ରତି ଦୁର୍ବଳତା ରହି ଆସିଛି । ଯାହା ମୋତେ ଲ୍ୟାଣ୍ଡର ବିକ୍ରମକୁ ଖୋଜିବାରେ ସାହାଯ୍ୟ କରିଥିଲା । ନାସାର ଏହି ସଦ୍ୟ ସୂଚନାକୁ ଆଧାର କରି ଅଧିକ ଗବେଷଣା କରାଯିବ । ଫଳରେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିକ୍ରମର ଅବତରଣ ବିଫଳ ହେଲା ତାହା ଜଣାପଡିବାର ସମ୍ଭାବନା ରହିଛି ।