ଫିଫା ବିଶ୍ୱକପ ଫୁଟବଲ : ହ୍ୟାରିକେନଙ୍କ ଡବଲ ଗୋଲ୍ କମାଲରେ ପ୍ରଥମ ମୁକାବିଲାକୁ ରୋମାଂଚକର ଭାବରେ ଜିତିନେଲା ଇଂଲଣ୍ଡ

41

କନକ ବ୍ୟୁରୋ: ଫିଫା ବିଶ୍ୱକପରେ ଇଂଲଣ୍ଡର ବିଜୟ ଅପେକ୍ଷାର ଅନ୍ତ ଘଟିଛି । ଗତ ଆଠବର୍ଷ ହେଲା ବିଜୟ ଶୂନ୍ୟ ରହିଥିବା ଇଂଲଣ୍ଡ ନିଜର ପ୍ରଥମ ମୁକାବିଲାକୁ ରୋମାଂଚକର ଭାବେ ଜିତିନେଇଛି । ଅଧିନାୟକ ହାରି କେନ ହିଁ ଇଂଲଣ୍ଡକୁ ଏହି ପ୍ରତିକ୍ଷିତ ବିଜୟ ଉପହାର ଦେଇଛନ୍ତି । ପ୍ରତିପକ୍ଷ ଟ୍ୟୁନିସିଆର ଲଢେଇ ସତ୍ୱେ ଏକାକି ଦୁଇଟି ଗୋଲ ଦେଇ କେନ ବ୍ୟକ୍ତିଗତ ଭାବେ ମଧ୍ୟ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ନିଜ ଦଳ ପାଇଁ ଯୁଗଳ ସଫଳତା ଲାଭ କରିଛନ୍ତି ।

ଇଂଲଣ୍ଡ ଶେଷଥର ଲାଗି ୨୦୧୦ ମସିହାରେ ସ୍ଲୋଭାନିଆକୁ ୧-୦ରେ ହରାଇଥିଲା । ଏଥର କିନ୍ତୁ ବିଜୟ ସହ ଜବରଦସ୍ତ ଆରମ୍ଭ କରିଛି । ସେପଟେ ଉତର ଆଫ୍ରିକୀୟ ରାଷ୍ଟ୍ର ଟ୍ୟୁନିସିଆ ଲଢୁଆ ଖେଳିବା ସତ୍ୱେ ମ୍ୟାଚ ହାତଛଡା କରିଛି । ଗତକାଲି ଖେଳାଯାଇଥିବା ଅନ୍ୟ ଦୁଇଟି ମ୍ୟାଚରେ ସ୍ୱିଡେନ ଓ ବେଲଜିୟମ ବିଜୟୀ ହୋଇଛନ୍ତି ।

ଏକାଠି ଖେଳିଲେ ହାଜାର୍ଡ ଭାଇ

ବିଶ୍ୱକପରେ ଦୁଇ ଭାଇ ଗୋଟିଏ ଦଳରୁ ଖେଳିବାର ହାତଗଣତି ଉଦାହରଣ ରହିଛି। ସୋମବାର ବେଲଜିୟମ ଅଧିନାୟକ ଇଡେନ୍ ହାଜାର୍ଡ ଏବଂ ତାଙ୍କ ସାନ ଭାଇ ଥର୍ଗାନ ହାଜାର୍ଡ ଏହି ସ୍ୱତନ୍ତ୍ର ତଥା ସମ୍ମାନଜନକ ତାଲିକାରେ ସ୍ଥାନ ପାଇବାର ସ୍ମରଣୀୟ ସଫଳତା ଲାଭ କରି ଥିଲେ। ଉଭୟ ଏକାଠି ପାନାମା ବିରୋଧରେ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳିଥିଲେ। ପଦାର୍ପଣକାରୀ ପାନାମା ବିପକ୍ଷ ମ୍ୟାଚରେ ଇଡେନ୍ ଆରମ୍ଭ ଏକାଦଶରେ ରହିଥିଲେ।

ଥର୍ଗାନ କିନ୍ତୁ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ୮୩ ମିନିଟରେ ସେ ଗୋଲ୍ ସ୍କୋରର ଡ୍ରାଏସ୍ ମେର୍ଟନ୍ସଙ୍କ ସ୍ଥାନରେ ଖେଳିବାକୁ ଓହ୍ଲାଇବା ପରେ କିନ୍ତୁ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଥିଲା। ଚଳିତ ବିଶ୍ୱକପରେ ଗୋଟିଏ ଦଳରୁ ଏବଂ ପ୍ରଥମ ମ୍ୟାଚରେ ଏକାଠି ଖେଳିବାରେ ଇଡେନ୍ ଏବଂ ଥର୍ଗାନ ପ୍ରଥମ ଦୁଇ ଭାଇ ବନି ଯାଇଥିଲେ। ୨୭ ବର୍ଷୀୟ ଇଡେନ୍ ବେଲଜିୟମ ପକ୍ଷରୁ ୮୫ ମ୍ୟାଚ୍ ଖେଳି ୨୨ ଗୋଲ୍ ଦେଇଛନ୍ତି। ୨୫ ବର୍ଷୀୟ ଥର୍ଗାନ ୧୧ ମ୍ୟାଚରେ ବେଲଜିୟମର ପ୍ରତିନିଧିତ୍ୱ କରି ଗୋଟିଏ ଗୋଲ୍ ଦେଇଛନ୍ତି। ସଂଯୋଗ ବଶତଃ ଉଭୟ କିନ୍ତୁ ମଧ୍ୟଭାଗରେ ଖେଳନ୍ତି।