ଜିତିଲେ ହରି, ହାରିଲେ ହରି । ବିରୋଧୀ ଏକତାକୁ ବଡ଼ ଝଟକା, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରିନେଲା ବିଜେପି

35

କନକ ବ୍ୟୁରୋ : ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ, ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ଆଜି ନିର୍ବାଚିତ ହୋଇଛନ୍ତି । ଆଜିର ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ୧୨୫ଟି ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ମେଂଟ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ୧୦୫ ଖଣ୍ଡ ଭୋଟ୍ ମିଳିଥିଲା । ଫଳରେ ୨୦ଟି ଭୋଟରେ ବିଜୟୀ ହୋଇଛନ୍ତି ହରିବଂଶ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରେଜଲ୍ଟ ଏନଡିଏ ଶିବିରରେ ଉତ୍ସାହ ଆଣିଦେଇଥିବା ବେଳେ ମିଳିତ ବିରୋଧୀ ମେଂଟକୁ ଲାଗିଛି ଝଟକା ।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କ ଘୋଷଣା ସହ ଶେଷ ହୋଇଥିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ଓ ମିଳିତ ବିରୋଧୀ ମେଂଟ ଭିତରେ ନିର୍ଣ୍ଣାୟକ ଲଢେଇର ଫଳାଫଳ ଥିଲା କିଛି ଏହିଭଳି – ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନିଡିଏ ପ୍ରାର୍ଥୀ- ହରିବଂଶ ନାରାୟଣ ସିଂ- ୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିିରୋଧୀ ପ୍ରାର୍ଥୀ- ବି.କେ. ହରିପ୍ରସାଦ- ୧୦୫ ସଦସ୍ୟଙ୍କ ସମର୍ଥନ ହାସଲ କରିଥିଲେ ।

Hariରାଜ୍ୟସଭାର ମୋଟ ସଭ୍ୟଙ୍କ ମଧ୍ୟରୁ ଗୁରୁବାର ରାଜ୍ୟସଭାରେ ୨୩୨ ସଦସ୍ୟ ଉପସ୍ଥିତ ଥିବାବେଳେ ଭୋଟିଂବେଳେ ୨ଜଣ ଅନୁପସ୍ଥିତ ଥିଲେ । ଆଉ ମିଳିତ ବିରୋଧୀ ପ୍ରାର୍ଥୀଙ୍କଠାରୁ ୨୦ଟି ଅଧିକ ସମର୍ଥନ ପାଇଁ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ।

ଆବଶ୍ୟକ ସଂଖ୍ୟା ନଥିବା ବିଜେପି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିବା ଲାଗି ମେଂଟ ସହଯୋଗୀ ଜେଡିୟୁର ସାଂସଦ ହରିବଂଶଙ୍କୁ ସମର୍ଥନ କରି ତାର ରଣନୀତି ସ୍ପଷ୍ଟ କରିଦେଇଥିଲା । ଆଉ ବିଜେପି କ୍ରାଇସିସ ମ୍ୟାନେଜର ଶିବସେନା ଓ ଅକାଳୀ ଦଳ ପରି ଏନଡିଏ ମେଂଟ ସହଯୋଗୀଙ୍କୁ ସାଙ୍ଗରେ ରଖିବାରେ ସମର୍ଥ ହେଲେ । ମିଳିତ ବିରୋଧୀ ମେଂଟରୁ ଦୂରେଇ ରହୁଥିବା ଏଆଇଏଡିଏମକେ ଓ ଟିଆରଏସର ସମର୍ଥନ ତ ପାଇଲେ । ହେଲେ ସମଦୂରତ୍ୱ ନୀତି ରଖିଆସୁଥିବା ବିଜେଡି ପରି ଦଳର ୯ ସାଂସଦଙ୍କ ସମର୍ଥନ ହାସଲ କରିବାକୁ ସବୁ ସାମର୍ଥ୍ୟ ଲଗାଇ ସେଥିରେ ବି ସଫଳତା ବି ହାସଲ କଲେ ।

ଅନ୍ୟ ପକ୍ଷରେ ମିଳିତ ବିରୋଧୀ ମେଂଟକୁ ଝଟକା ଦେଇଥିଲେ ଆପ୍, ପିଡିପି ଓ ୱାଇଏସଆର କଂଗ୍ରେସ ଭଳି ଦଳ । ବିଜେପିରୁ ସଂପର୍କ ଛିନ୍ନ କରିଥିବା ପିଡିପି ବିରୋଧୀ ମେଂଟରେ ସାମିଲ ହେବ ବୋଲି ଅନୁମାନ ଭୁଲ ସାବ୍ୟସ୍ତ ହେଲା । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଅବହେଳା କରିଥିବା କହି ଭୋଟିଂରୁ ଦୂରେଇ ରହିଲା ୱାଇଏସଆର କଂଗ୍ରେସ । ଆଉ ଆପ କହିଲା କେଜ୍ରିୱାଲଙ୍କ ସହ କଂଗ୍ରେସ ସଭାପତି କଥା ହୋଇଥିଲେ ଆମେ ସମର୍ଥନ ଦେଇଥାନ୍ତୁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେଉଁ ଦଳ କାହା ସହିତ ରହିଛି ତାର ଏକ ମୋଟାମୋଟି ଚିତ୍ର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ସାମ୍ନାକୁ ଆସିଛି । ଯାହା ଆଗାମୀ ରଣନୀତି ସ୍ଥିର କରିବା ପାଇଁ ମୋଦି-ଶାହ ଯୋଡର ପଥ ପରିସ୍କାର କରିଦେଇଥିବା କୁହାଯାଉଛି ।