୨୪ ଘଂଟା ପଡିରହିଲା ମୃତଦେହ । କାମ ଦେଲାନି ହରିଶ୍ଚନ୍ଦ୍ର ସହାୟତା । ମୁଠି ଚାଉଳରେ ହେଲା ଶବ ସତ୍କାର

କେନ୍ଦୁଝର ବାଂଶପାଳ ଅଂଚଳରୁ ଆସିଲା ଦୁଃଖଦ ଖବର

354

କନକ ବ୍ୟୁରୋ: ଜୀବନ ଥିବାବେଳେ ମିଳିଲାନି ସରକାରୀ ସହାୟତା । ମୃତ୍ୟୁ ପରେ ବି ଠିକ୍ ସେୟା ହେଲା । ମିଳିଲାନି ହରିଶ୍ଚନ୍ଦ୍ର ସହାୟତା । ଶବ ସତ୍କାର ପାଇଁ ଗାଁରୁ ଆଦାୟ ହେଲା ଚାଉଳ ଓ ଟଙ୍କା । ଆଉ ସେଥିରେ ହେଲା ସତ୍କାର। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରକଇଁସାରୀ ଗାଁରେ ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଗାଁର ରାମ ମୁଣ୍ଡାଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଶବ ସତ୍କାର ନେଇ ପରିବାର ଲୋକେ ଚିନ୍ତାରେ ଥିଲେ ।

ସୂଚନା ମୁତାବକ, ଗାଁର ରାମ ମୁଣ୍ଡା (୪୩)ଙ୍କର ଗତକାଲି ଅଜଣା ରୋଗରେ ମୃତ୍ୟୁ ଘଟିଥିଲା। କେନ୍ଦୁଝରରେ ମୃତ୍ୟୁ ହେବା ପରେ ଦିନ ପ୍ରାୟ ଗୋଟାଏ ବେଳେ ଗାଁରେ ମୃତଦେହ ପହଞ୍ଚିଥିଲା। ଶବ ସତ୍କାର ପାଇଁ ଘରେ ପଇସାଟିଏ ନ ଥିଲା। ଏମିତି ପରିସ୍ଥିତିରେ କିପରି ସତ୍କାର କରିବେ ତାକୁ ନେଇ ବିଧବା ପତ୍ନୀ ଓ ପରିବାରକୁ ବୁଦ୍ଧି ଦିଶି ନଥିଲା। ଦିନ ଗଡ଼ି ସନ୍ଧ୍ୟା ହେଲା। ରାତିସାରା ପଡ଼ିରହିଲା ଶବ। ଶେଷରେ ଗାଁ ସାହିଭାଇ ଓ ପଡ଼ୋଶୀ ଶବ ସତ୍କାର କରିବାକୁ ଅଣ୍ଟା ଭିଡ଼ିଥିଲେ।

ଗାଁର ପ୍ରତ୍ୟେକ ପରିବାର ହାତରେ ଗିନାଏ ଲେଖାଏଁ ଚାଉଳ ଆଉ ୧୦ ଟଙ୍କା ଧରି ଗାଁ ମଧ୍ୟଭାଗକୁ ଆସିଥିଲେ। ସେଠାରେ ଏକ ଜରିପାଲରେ ନିଜନିଜ ଘରୁ ଆଣିଥିବା ଚାଉଳକୁ ଜଣକ ପରେ ଜଣେ ଢାଳିଥିଲେ ଏବଂ ଟଙ୍କା ଦେଇଥିଲେ। ତାକୁ ଜଣେ ଗଣୁଥିଲେ। ଯେତେଜଣ ଚାଉଳ ଆଉ ଟଙ୍କା ଦେଉଥିଲେ, ସେ ଚାଉଳ ମୁଠାଏଲେଖାଏଁ ଏକ ସ୍ଥାନରେ ଗଣତି ପାଇଁ ରଖୁଥିଲେ। ଏହାକୁ ସେମାନଙ୍କ ଭାଷାରେ ‘କୋଡ଼ି’ ବୋଲି କୁହାଯାଏ। କାଳେ କିଏ ବାକି ରହିଗଲେ ଜାଣିବା ପାଇଁ ଏମିତି କରାଯାଉଥିଲା। ଏହାପରେ ଆଦାୟ ହୋଇଥିବା ଚାଉଳ ଓ ଟଙ୍କା ଖର୍ଚ୍ଚ କରି ମୃତ୍ୟୁର ପ୍ରାୟ ଚବିଶ ଘଣ୍ଟା ପରେ ଶବ ସତ୍କାର କରାଯାଇଥିଲା।