ବିଜେପି ବିରୋଧରେ ହାର୍ଦ୍ଦିକଙ୍କ ଅଭିଯୋଗ ! ୫୦୦୦ ଇଭିଏମ ହ୍ୟାକ କରିବାକୁ ୧୪୦ ସଫ୍ଟୱୟାର ଇଞ୍ଜିନିୟର ପ୍ରସ୍ତୁତ

52

ଗୁଜରାଟ ବିଧାନସଭା ପାଇଁ ମତଦାନ ସରିଛି । ସୋମବାର ପ୍ରକାଶ ପାଇବ ଫଳାଫଳ । ଚଳିତ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । କିନ୍ତୁ ବିଜେପି ଆଶ୍ୱସ୍ତି ଆଣିଛି ବିଭିନ୍ନ ନ୍ୟୁଜ ଚ୍ୟାନେଲ ପକ୍ଷରୁ ହୋଇଥିବା ଏକଜିଟ ପୋଲ । ଫଳାଫଳ ଆସିବା ପୂର୍ବରୁ ଆସିଥିବା ଏକଜିଟ ପୋଲରେ ହିମାଚଳ ପ୍ରଦେଶ ଓ ଗୁଜରାଟରେ ଗେରୁଆ ବାନା ଉଡିବ ବୋଲି ସ୍ୱଷ୍ଟ ଦର୍ଶାଯାଇଛି । ଏପରିକି ଗୁଜରାଟରେ ବିଜେପି ପୁଣିଥରେ ଏକାକୀ ସରକାର ଗଢିବ ବୋଲି ଏକଜିଟ ପୋଲରେ ପ୍ରକାଶ ପାଇଛି । କିନ୍ତୁ ଏହି ଫଳାଫଳ ଉପରେ ପ୍ରଶ୍ନ ଉଠାଇଛନ୍ତି ଯୁବ ପଟିଦାର ନେତା ହାର୍ଦ୍ଦିକ ପଟେଲ । ବିଜେପି ଉପରେ ଆରୋପ ଲଗାଇ ହାର୍ଦ୍ଦିକ କହିଛନ୍ତି, ଇଭିଏମରେ ଯଦି ଗଡବଡ ନ ହୁଏ ତେବେ ବିଜେପିର ହାରିବା ସୁନିଶ୍ଚିତ ।

hardikpatel7592ଶନିବାର ରାତିରେ ହାର୍ଦ୍ଦିକ ଟ୍ୱିଟ୍ କରି କହିଛନ୍ତି, ଅହମ୍ମଦାବାଦର ଏକ କମ୍ପାନିର ୧୪୦ ଜଣ ସଫ୍ଟୱେୟାର ଇଞ୍ଜିନିୟର ପ୍ରାୟ ୫୦୦୦ ଇଭିଏମର ସୋର୍ସ କୋର୍ଡକୁ ହ୍ୟାକିଂ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଏହା ପଛରେ ବିଜେପି କାମ କରୁଛି । ଏହାପୂର୍ବରୁ ମଧ୍ୟ ଇଭିଏମକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ ହାର୍ଦ୍ଦିକ । ଟ୍ୱିଟ୍ କରି ହାର୍ଦ୍ଦିକ କହିଛନ୍ତି, ଶନିବାର ଓ ରବିବାର ରାତିରେ ବିଜେପି ଇଭିଏମ ହ୍ୟାକିଂ କରିବାକୁ ଯାଉଛି । ଯଦି ଇଭିଏମରେ ଗଡବଡ ନ ହୁଏ ତେବେ ବିଜେପିକୁ ଗୁଜରାଟରେ ୮୨ଟି ସିଟ ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ହାର୍ଦ୍ଦିକ ।

ଅନ୍ୟ ଏକ ଟ୍ୱିଟରେ ହାର୍ଦ୍ଦିକ କହିଛନ୍ତି, ଗୁଜରାଟରେ ବିଜେପିର ପରାଜୟ ଦଳକୁ ପତନ ଆଡକୁ ଟାଣି ଆଣିବ । ଇଭିଏମ ହ୍ୟାକ କରି ବିଜେପି ଗୁଜରାଟ ନିର୍ବାଚନ ଜିତିବ ଓ ଜାଣିଶୁଣି ହିମାଚଳ ପ୍ରଦେଶ ନିର୍ବାଚନ ହାରିବ । ଯାହାଫଳରେ ବିଜେପି ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ । ତେବେ ଏସବୁ ଭିତରେ ଗୁଜରାଟ ବିଧାନସଭା ଫଳାଫଳ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । କିଏ କେତେ ସିଟ୍ ହାତେଇବ ? ମୋଦିଙ୍କ ମ୍ୟାଜିକ କାମ କରିବ ନା ରାହୁଲଙ୍କୁ ଆପଣାଇନେବେ ଗୁଜରାଟବାସୀ ତାହା ଫଳାଫଳ ଆସିବା ପରେ ଜଣାପଡିବ ।