କଂଗ୍ରେସ ଚିନ୍ତା ବଢାଉଛନ୍ତି ହାର୍ଦ୍ଦିକ ! ଏନସିପି ନେତାଙ୍କୁ ଭେଟିଲେ ପାସ ନେତା

26

କନକବ୍ୟୁରୋ : ଗୁଜରାଟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ପଟିଦାର ନେତାଙ୍କ କଂଗ୍ରେସ ସହ ଆଲୋଚନା ପରେ ଗତକାଲି ଏନସିପି ନେତାଙ୍କ ସହ ସାକ୍ଷାତ କରିଛନ୍ତି ପଟିଦାର ଅନାମତ ଆନ୍ଦୋଳନ ସମିତି ବା ପାସ ନେତା ହାର୍ଦ୍ଦିକ ପଟେଲ । ନିଜର ଆଗାମୀ ରଣନୀତି ନେଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ଜୟନ୍ତ ପଟେଲଙ୍କ ସହ ଆଲୋଚନା କରିଛନ୍ତି ।

ନିକଟରେ କଂଗ୍ରେସ ସହ ଆଲୋଚନା ସମୟରେ କଂଗ୍ରେସ ପାସର ଚାରିଟି ସର୍ତ୍ତ ମାନିଥିଲା ଓ ଓବିସି କୋଟା ଦାବିକୁ ସ୍ଥଗିତ ରଖିଛି । କଂଗ୍ରେସ ଉପରେ ଚାପ ପ୍ରୟୋଗ ଉଦ୍ଦେଶ୍ୟରେ ହାର୍ଦ୍ଦିକ ନିଜ ରଣନୀତି ବଦଳାଇଛନ୍ତି । ପାସ ସଂଯୋଜକ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହୁଛି । ସେପଟେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପଟିଦାର ସଂପ୍ରଦାୟ ସମର୍ଥନ ପାଇବା ପାଇଁ ଆଲୋଚନା ହେଉଥିବା ଏନସିପି ସୂତ୍ରରୁ ଜଣାପଡିଛି ।

ଆଗାମୀ ଗୁଜରାଟରେ ବିଧାନସଭା ନିର୍ବାଚନରେ ଏନସିପି ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି । ପଟିଦାର ସଂପ୍ରଦାୟ ଲୋକେ ରହୁଥିବା ଅଂଚଳରେ ଏନସିପି ଅଧିକ ପ୍ରାର୍ତୀ ଦେବ । ତେଣୁ ହାର୍ଦ୍ଦିକଙ୍କ ସମର୍ଥନ ପାଇବା ପାଇଁ ସାକ୍ଷାତ ହୋଇଥିବା ଜଣାପଡୁଛି । ବିଶ୍ୱସ୍ତ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ହାର୍ଦ୍ଦିକ କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ସେପଟେ ହାର୍ଦ୍ଦିକ ଏ ଚର୍ଚ୍ଚାକୁ ସ୍ୱୀକାର କରିନାହାନ୍ତିା ସେ କହିଛନ୍ତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ । ଦୀପାବଳି ଶୁଭେଚ୍ଛା ଜଣାଇବା ପାଇଁ ଆସିଥିବା ସେ କହିଛନ୍ତି । ତାଛଡା ରାଜନୀତି ଓ କୋଟା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି ।