କ୍ରିକେଟ୍ ତାରକାଙ୍କ ସଂଘର୍ଷର ଦିନ :  ଟ୍ୱିଟ୍ କରି ପୁରୁଣା ଦିନର ସ୍ମୃତିକୁ ତାଜା କଲେ ହାର୍ଦ୍ଦିକ୍ ପାଣ୍ଡ୍ୟା, ପୋଷ୍ଟ କଲେ ସ୍ଥାନୀୟ ମ୍ୟାଚ୍ ଖେଳିବା ପାଇଁ ଟ୍ରକ ଡାଲାରେ ଯାଉଥିବାର ଫଟୋ

569

କନକ ବ୍ୟୁରୋ : ଷ୍ଟାରଙ୍କ ସଂଘର୍ଷର ଦିନ । ଟ୍ୱିଟ୍ କରି ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି ଟିମ ଇଣ୍ଡିଆ କ୍ରିକେଟର ହାର୍ଦ୍ଦିକ୍ ପାଣ୍ଡ୍ୟା । ପୋଷ୍ଟ କରିଛନ୍ତି ସ୍ଥାନୀୟ ମ୍ୟାଚ୍ ଖେଳିବା ପାଇଁ ଟ୍ରକ ଡାଲାରେ ଯାଉଥିବାର ଫଟୋ ଟିଏ । ସାଥୀ ଖେଳାଳିଙ୍କ ସହିତ ମିଶି ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରକ୍ ଡାଲାରେ ବସି ଯାଉଛନ୍ତି ଲୋକାଲ୍ ମ୍ୟାଚ୍ ଖେଳିବାକୁ । ଫଟୋଟି ସେହି ସମୟର ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍ ଖେଳିବାକୁ ସଂଘର୍ଷ କରୁଥିଲେ । ପ୍ରତିଟି ମୁହୂର୍ତ୍ତ କଟୁଥିଲା ସଂଘର୍ଷରେ । ଏପରି ସଂଘର୍ଷ ଭିତରେ ସାମ୍ନାକୁ ଆସିଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିତରେ ଥିବା ଅସଲ ପ୍ରତିଭା । 

ଗାଁର ସେହି ଖେଳ ପଡିଆରୁ ଆସି ଆଜି ହାର୍ଦ୍ଦିକ୍ ପାଣ୍ଡ୍ୟା ପହଁଚି ଯାଇଛନ୍ତି ଟିମ ଇଣ୍ଡିଆ ଟିମରେ । ଏବେ ପାଲଟି ଯାଇଛନ୍ତି ଟିମଇଣ୍ଡିଆର ଜଣେ ଭରସା ଯୋଗ୍ୟ ମ୍ୟାଚ୍ ୱିନିଂ ପ୍ଲେୟାର । ଫରକ କେବଳ ଏତିକି ସେତେବେଳେ ହାର୍ଦ୍ଦିକଙ୍କ ପାଇଁ ଚାରିଆଡେ ଥିଲା ସମସ୍ୟା ଓ ତାରି ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ସେ କରୁଥିଲେ ସଂଘର୍ଷ । ଖେଳିବାକୁ ଯୋତା ନଥିଲା, ଭଲ ବ୍ୟାଟ୍ ଟିଏ ବି ନଥିଲା । ହେଲେ ଏହା ଭିତରେ ଖେଳି ସେ ସଂଘର୍ଷରୁ ଶିକ୍ଷାଲାଭ କରି ଆଜି ବନିଛନ୍ତି ସଫଳ କ୍ରିକେଟର । ଏବେ ଆଉ ପୁରୁଣାଦିନର ସମସ୍ୟା ନାହିଁ । ପୂର୍ବ ପରି ଆର୍ଥିକ ସମସ୍ୟା ବି ନାହିଁ । ଆଉ କ୍ରିକେଟ୍ ଖେଳିବାକୁ ଯିବାକୁ ପଡୁନି ଟ୍ରକ୍ ଡାଲାରେ । 

ଏବେ ପାଣ୍ଡ୍ୟାଙ୍କ ପାଖରେ ଲକଜୁରୀ କାର୍ ରହିଛି । ଅନ୍ତର୍ଜାତୀୟ ମାନର କ୍ରିକେଟ୍ ଉପକରଣ ପାଣ୍ଡ୍ୟା ବ୍ୟବହାର କରୁଛନ୍ତି ଖେଳିବା ବେଳେ । ସମୟ ପୁରା ବଦଳି ଯାଇଛି । ସେତେବେଳେ ଯାତ୍ରାର ସାଥୀ ଥିଲା ଟ୍ରକ ଡାଲା । ଏବେ କ୍ରିକେଟ୍ ଖେଳିବାକୁ ସେ ଯାତ୍ରା କରୁଛନ୍ତି ବିମାନରେ । ସେ ଦିନର ସଂଘର୍ଷ ଆଜି ତାଙ୍କୁ ସଫଳତାର ବାଟ ଦେଖାଇଛି ବୋଲି ପାଣ୍ଡ୍ୟା ତାଙ୍କ ଟୁଇଟରେ ଲେଖିଛନ୍ତି । ପ୍ରକୃତରେ ବର୍ତମାନ ଯୁବ କ୍ରିକେଟରଙ୍କ ପାଇଁ ପାଣ୍ଡ୍ୟାଙ୍କ ଏପରି ସଂଘର୍ଷଭରା ଜୀବନ ପ୍ରେରଣାର କଥା ହେବ ନିଶ୍ଚୟ ।