ମହଙ୍ଗା ପଡିଲା ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ! ଘରୋଇ ଚ୍ୟାନେଲ କାର୍ଯ୍ୟକ୍ରମରେ ମତ ରଖି ଅଡୁଆରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ନୋଟିସ୍ ପଠାଇଲା ବିସିସିଆଇ

482

କନକ ବ୍ୟୁରୋ : ଅଡୁଆରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ମହଙ୍ଗା ପଡିଲା ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା । ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କଫି ୱିଥ୍ କରଣରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ  ଲୋକେଶ ରାହୁଲ । ତେବେ କାର୍ଯ୍ୟକ୍ରମ ସମୟରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ଫଳରେ ଉଭୟଙ୍କୁ ତୀବ୍ର ସମାଲୋଚନାର ଶୀକାର ହେବାକୁ ପଡିଛି ।

କଫି ୱିଥ୍ କରଣ କାର୍ଯ୍ୟକ୍ରମରେ ପାଣ୍ଡ୍ୟା କହିଥିଲେ ଯେ ଅନେକ ନାରୀଙ୍କ ସହ ତାଙ୍କର ଶାରିରୀକ ସମ୍ପର୍କ ରହିଛି । ଏପରିକି ମହିଳାମାନେ କେବଳ ତାଙ୍କ ପାଇଁ ଉପଭୋଗ୍ୟର ବସ୍ତୁ । ଏହିଭଳି ନାରୀର ମର୍ଯ୍ୟାଦା ଓ ସମ୍ମାନହାନୀ କରିବା ଭଳି ଅନେକ ଅକୁହା କଥା କହିଛନ୍ତି ପାଣ୍ଡ୍ୟା । ଯାହାକୁ ନେଇ ବିବାଦ ଦେଖାଦେଇଛି । ଅନ୍ୟଙ୍କ ସମାଲୋଚନାର ଶିକାର ହେବା ପରେ ପାଣ୍ଡ୍ୟ କ୍ଷମା ମାଗିଛନ୍ତି । ଅନ୍ୟପଟେ ପାଣ୍ଡ୍ୟାଙ୍କ କ୍ଷମା ମାଗିବାର କିଛି ସମୟ ପରେ ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି ବା ସିଓଏ ପାଣ୍ଡ୍ୟାଙ୍କ ସହ ରାହୁଲଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ପଠାଇଛି । କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ, ୨୪ଘଂଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି ।