ଟିମ ଇଣ୍ଡିଆକୁ ବଡ ଝଟକା, ଏସିଆ କପରୁ ପାଣ୍ଡ୍ୟା ବିଦା! ଭାରତୀୟ ଦଳରେ ୩ଟି ବଡ ପରିବର୍ତ୍ତନ , ଜାଣନ୍ତୁ ଟିମରେ କିଏ ହେଲେ ସାମିଲ
ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇ ଏସିଆ କପର ଲିଗ୍ ପର୍ଯ୍ୟାୟରେ ଲଗାତାର ଦ୍ୱିତୀୟ ବିଜୟ ସହ ସୁପର ଫୋରରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ସୁପର ଫୋର ମ୍ୟାଚ ଖେଳିବା ପୂର୍ବରୁ ଭାରତକୁ ଲାଗିଛି ଜବରଦସ୍ତ ଝଟକା । ଗତକାଲି ମ୍ୟାଚରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେହିଭଳି ଦଳରେ ଆଉ ଦୁଇଟି ପରିବର୍ତ୍ତନ କରିଛନ୍ତି ଚୟନକର୍ତ୍ତା । ଅକ୍ଷର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସାର୍ଦ୍ଦୁଳ ଠାକୁର ଏସିଆ କପର ଲିଗ୍ ପର୍ଯ୍ୟାୟରେ ହଂକଂ ବିପକ୍ଷରେ ଖେଳିଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ଡାକରା ଆସିଛି । ସେହିଭଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଦୀପକ ଚହରଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ୨୯ ବର୍ଷୀୟ ଜାଡେଜାଙ୍କୁ ପୁଣି ଏକବର୍ଷ ପରେ ଦଳରେ ସାମିଲ କରାଯାଇଛି । ୬ ଜୁଲାଇ ୨୦୧୭ରେ ଜାଡେଜା ଶେଷଥର ପାଇଁ ଭାରତ ପକ୍ଷରୁ ଦିନିକିଆ ମ୍ୟାଚ ଖେଳିଥିଲେ । ତେଣୁ ଆଗାମୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି ଜାଡେଜା ।
ବୁଧବାର ପାକିସ୍ତାନ ବିପକ୍ଷରେ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଏପରିକି ପାଣ୍ଡ୍ୟାଙ୍କୁ ଷ୍ଟ୍ରେଚରରେ ପଡିଆ ବାହାରକୁ ନିଆଯାଇଥିଲା । ପରେ ବିସିସିଆଇ ପକ୍ଷରୁ ପାଣ୍ଡ୍ୟାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ସୂଚନା ଦିଆଯାଇଥିଲା । ତେବେ ଆହତ ହେବା ପରେ ପାଣ୍ଡ୍ୟା ନିଜ ଫ୍ୟାନ ମାନଙ୍କୁ ଟ୍ୱିଟ୍ କରି କହିଛନ୍ତି, ଆପଣଙ୍କ ଭଲପାଇବା ଯୋଗୁଁ ଖୁବଶୀଘ୍ର ପୁଣିଥିରେ ଟିମକୁ ଫେରିବି ।