ମୋଷ୍ଟ୍ ୱାଂଟେଡ୍ ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସନ ଗିରଫ !

38

କନକ ବ୍ୟୁରୋ : ଗୁଜରାଟ ଏଟିଏସ୍ ହାତରେ ମୋଷ୍ଟ ୱାଂଟେଡ ମାଓ ନେତା । ଶ୍ରୀରାମୁଲୁ ଶ୍ରୀନିବାସ ଓରଫ ସୁଦର୍ଶନକୁ ଗିରଫ କରିଛି ଗୁଜରାଟ ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ । ଅନେକ ମାଓ ହିଂସାରେ ସଂପୃକ୍ତ ଏହି ଟପ୍ ମାଓ ଲିଡରକୁ ୨୦୧୧ରେ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ ଓଡିଶା ସରକାର । ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଆର ଭିନିଲକ୍ରୀଷ୍ଣାଙ୍କୁ ଛାଡିବା ପାଇଁ ଓଡିଶା ପୋଲିସ ହେପାଜତରେ ଥିବା ସୁଦର୍ଶନକୁ ମୁକ୍ତ କରିବାକୁ ସର୍ତ ରଖାଯାଇଥିଲା ।

୨୦୧୧ ଫେବୃୟାରୀ ୧୬ ତାରିଖରେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଓ ଜେଇ ପବିତ୍ର ମୋହନ ମାଝୀଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଏବଂ ଓଡିଶା ସରକାର ଟପ୍ ମାଓନେତାଙ୍କୁ ଛାଡିବା ପରେ ୫ଦିନ ପରେ ଏମାନଙ୍କୁ ମୁକ୍ତ କରିଥିଲେ ମାଓବାଦୀ । ତେବେ ଗୁଇନ୍ଦା ସୂଚନା ପାଇ ସୁଦର୍ଶନକୁ ଶନିବାର ହାଇଦ୍ରାବାଦରୁ ଗିରଫ କରିବାରେ ସଫଳ ହୋଇଛି ଗୁଜରାଟ ଏଟିିଏସ । ନବଜୀବନ ଭାରତ ସଭା ଓ ମଜଦୂର ବିକାଶ ମଂଚ ନାଁରେ ସଂଗଠନ ଗଢି ସେ ମାଓ ବିଚାରଧାରାର ପ୍ରଚାର ପ୍ରସାର କରିବା ସହ ସରକାର ଓ ପ୍ରଶାସନ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ କରୁଥିଲା ।

ସୁରଟ, ଦକ୍ଷିଣ ଗୁଜରାଟ ଓ ଉତର ମହାରାଷ୍ଟ୍ରରେ ସଶସ୍ତ୍ର ଲଢେଇ ପାଇଁ ମାଓବାଦୀଙ୍କୁ ପ୍ରସ୍ତୁତ କରୁଥିଲା ସୁଦର୍ଶନ । ପୂର୍ବରୁ ୨୦୦୭ରେ ଶ୍ରୀରାମୁଲୁ ଶ୍ରୀନିବାସ ଓରଫ ସୁଦର୍ଶନକୁ ଗିରଫ କରିଥିଲା ଆନ୍ଧ୍ରପ୍ରଦେଶ ପୋଲିସ । ୨୦୦୩ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ତା ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ସରକାର ।

ଏବେ ନଜର ପକାନ୍ତୁ ଏହି ଟପ୍ ମାଓନେତା ବିରୋଧରେ କଣସବୁ ଅଭିଯୋଗ ରହିଛି ।

– ମାଲକାନଗିରି ବାଲିମେଳାରେ ୩୬ଜଣ ଗ୍ରେହାଉଣ୍ଡ ଯବାନଙ୍କୁ ଅମ୍ବୁସ କରି ହତ୍ୟା କରିବା

– ୧୯୯୯ରେ ଲ୍ୟାଣ୍ଡମାଇନ ବ୍ଲାଷ୍ଟ କରି ଆନ୍ଧ୍ର ଗୃହମନ୍ତ୍ରୀ ଏ ମାଧବ ରେଡ୍ଡିଙ୍କୁ ହତ୍ୟା

– ୨୦୦୩ରେ ତିରୁମାଲାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା ଉଦ୍ୟମ

– ଶ୍ରୀରାମୁଲୁ ଶ୍ରୀନିବାସ ଓରଫ ସୁଦର୍ଶନ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରହିଛି

– ଆଇପିସିର ଧାରା ୧୨୧ ଅର୍ଥାତ ସରକାର ଓ ପ୍ରଶାସନ ବିରୋଧରେ ଯୁଦ୍ଧ

– ଧାରା ୧୨୪ ଅର୍ଥାତ ଦେଶଦ୍ରୋହ

– ୧୫୩- ଏ ଅର୍ଥାତ ଭିନ୍ନ ଭିନ୍ନ ଜାତି ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା

– ଏହାଛଡା ବେଆଇନ କାର୍ଯ୍ୟକଳାପ ଆଇନ- ୟୁଏପିଏ ଅଧିନରେ ଅନେକ ଦଫା ଲଗାଯାଇଛି ।