ଓଡିଶାରେ ଆତ୍ମସମର୍ପଣ କଲା ଛତିଶଗଡ ମାଓବାଦୀ । ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ କମଲୁ ବେଟିର ଆତ୍ମସମର୍ପଣ

278

କନକ ବ୍ୟୁରୋ: ଓଡ଼ିଶାରେ ଆତ୍ମସମପର୍ଣ କଲେ ଛତିଶଗଡ଼ ମାଓବାଦୀ । ମାଲକାନାଗିରିଠାରେ ଦକ୍ଷିଣ ପଶ୍ଚିମାଂଚଳ ଡ଼ିଆଇଜିଙ୍କ ନିକଟରେ ଆତ୍ମସମପର୍ଣ କରିଛନ୍ତି ଛତିଶଗଡ଼ ଦରଭା ଡ଼ିଭିଜନାଲ କମିିଟିର କ୍ୟାଡ଼ର ମାଓବାଦୀ କମଲୁ ବେଟି । ୨୦୦୭ରୁ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ । ଦରଭା ଡ଼ିଭିଜନାଲ କମିଟି ଅନ୍ତର୍ଗତ କାଙ୍ଗେଲ ଘାଟି ଏରିଆ କମିଟିର ସମ୍ପାଦକ ଭାବେ ବେଶ ସକ୍ରିୟ ଥିଲେ । କମଲୁ ମାଲକାନାଗିରି ଜିଲ୍ଲାର ମାଥିଲି ଅଂଚଳରେ ୩ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ସହ ବହୁ ବଡ଼ ବଡ଼ ହିଂସାକାଣ୍ଡରେ ଜଡ଼ିତ ଥିବା ନେଇ ଦକ୍ଷିଣ ପଶ୍ଚିମାଂଚଳର ଡ଼ିଆଇଜି ସଫିନ ଅହମଦ ସୂଚନା ଦେଇଛନ୍ତି ।

କମଲୁଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ତାଙ୍କୁ ଓଡ଼ିଶା ସରକାରଙ୍କ ଆତ୍ମସମପର୍ଣ ନିତିରେ ଅଣାଯାଇ ଥଇଥାନ କରାଯିବ ବୋଲି ଜଣାପଡ଼ିଛି । ମାଓ ସଂଗଠନରେ ତେଲେଗୁ ନେତାଙ୍କ ପ୍ରାଦୃଭାବ ସହ ମାଥିଲି ଛତିଶଗଡ଼ ସୀମାବର୍ତି ଅଂଚଳରେ ପୁଲିସର କୁମ୍ବିଂ ଓ ବିଏସଏଫ କ୍ୟାମ୍ପ ସ୍ଥାପନ ପାଇଁ କମଲୁ ଆତ୍ମସମପର୍ଣ କରିଥିବା କୁହାଯାଇଛି ।