କୋର୍ଟ ପରିସରରୁ କଏଦୀ ଚମ୍ପଟ । ଅନୁଗୁଳ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରୁ ପାଇଖାନା ଘର ଆଜବେଷ୍ଟସ ତାଡି ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ଫେରାର

47

କନକ ବ୍ୟୁରୋ: କୋର୍ଟ ପରିସରରୁ ଫେରାର ହେଲା ହାର୍ଡକୋର କ୍ରିମିନାଲ । ଅନୁଗୁଳ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରୁ ଫେରାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ । ହତ୍ୟା ମାମଲାରେ କୋର୍ଟରେ ହାଜର ହେବା ପରେ ଝସକେତନ ପୋଲିସକୁ ଚକମା ଦେଇ ଫେରାର ହୋଇଛି । ଶୁଣାଣି ପରେ ଝସକେତନ ଏକ ପାଇଖାନା ଘର ଭିତରକୁ ଯାଇଥିବା ବେଳେ ସେଠାରୁ ଆଜବେଷ୍ଟସ୍ ତାଡି ଫେରାର ହୋଇଯାଇଛି । ଗଲା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୋବାଇଲ ଫୋନ୍ ନେଇ ଯାଇଥିବା ଜଣାପଡିଛି । ଲୋକଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ଫେରାର ହେବା ପରେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଛି ।

ଅନୁଗୁଳ ଜରପଡା ଥାନା କୁଶକିଳା ଗାଁର ଝସକେତନ ୨୦୧୬ ଫେବୃଆରୀ ମାସରେ ଦୁଇ ସମ୍ପର୍କୀୟ ଭାଇଙ୍କୁ ମାରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଗାତ ଖୋଳି ପୋତି ଦେଇଥିଲା । ଏହା ସହ ୨୦୧୫ ଅଗଷ୍ଟ ମାସରେ କୁକୁରପେଟା ଅଂଚଳର ଅବଳା ଗଡନାୟକ ଓ କୁମୁଦ ଗଡନାୟକଙ୍କୁ ମଧ୍ୟ ହତ୍ୟା କରି ପୋତି ଦେଇଥିଲା । ତେବେ ଖୋଳତାଡ ପରେ ପୋଲିସ ଆଗରେ ସତ ମାନି ଯାଇଥିଲା ଝସକେତନ । ଆଉ ପୋଲିସ ଗାତ ଖୋଳି ମୃତଦେହ ଜବତ କରିବା ସହ ଝସକେତନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ବେଶ୍ ଚର୍ଚ୍ଚା ହୋଇଥିଲା । ଏଭଳି ଜଣେ ଅପରାଧୀ ଫେରାର ହେବା ପରେ କୋର୍ଟ ପରିସରରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଘଟଣା ପରେ ଅନୁଗୁଳ ଏସପି ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।