ଓଡ଼ିଶାର କାମ ପଡ଼ୋଶୀର ପଇସା । ନବରଙ୍ଗପୁର ବୁଣାକାରଙ୍କୁ ସହାୟତା ନାଁରେ ଶୋଷୁଛି ଛତିଶଗଡ । କଂଚାମାଲ ଯୋଗାଇ ଲୁଗା କିଣି ନେଉଛନ୍ତି ପଡୋଶୀ ବ୍ୟବସାୟୀ

ଦେଉଛନ୍ତି କେବଳ ଦୈନିକ ମଜୁରୀ

120

କନକ ବ୍ୟୁରୋ: ଖଟୁଛି ଓଡିଶା ଲାଭ ଖାଉଛି ପଡୋଶୀ । ଓଡିଶାର ବୁଣାକାରଙ୍କୁ ସହାୟତା ଆଳାରେ ଶୋଷଣ କରୁଛି ଛତିଶଗଡ । ନିଜର ରାଜ୍ୟରେ କଂଚାମାଲର ଅଭାବ ଯୋଗୁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ଆଉଁଳି ଗାଁର ବୁଣାକାର ପରିବାର । ଆଉ ଛତିଶଗଡ ସରକାର ଏମାନଙ୍କୁ କଂଚାମାଲ ଯୋଗାଇବା ଆଳରେ ଶୋଷଣ କରି ଚାଲିଛି । ନିଜ ରାଜ୍ୟର ବୁଣାକାରଙ୍କୁ କଂଚାମାଲ ଯୋଗାଇ ସେମାନଙ୍କୁ ଠାରୁ ଲୁଗା କିଣୁଛି ଓ ଲୁଗାର ପାଉଣା ଦେଉଛି ଛତିଶଗଡ । ହେଲେ ସେହି ସ୍ଥାନରେ ଓଡିଶାର ବୁଣାକାରଙ୍କୁ କେବଳ ଦୈନିକ ମଜୁରୀ ଦେଉଛନ୍ତି ପଡୋଶୀ ସରକାର । ନିଜ ରାଜ୍ୟରୁ ପ୍ରୋତ୍ସାହନ ମିଳୁନଥିବାରୁ ବାଧ୍ୟ ହୋଇ ପଡୋଶୀ ରାଜ୍ୟ ପାଖରେ ମୁଣ୍ଡ ପାତିବାକୁ ପଡୁଛି ବୋଲି କହିଛନ୍ତି ନବରଙ୍ଗପୁରର ବୁଣାକାର ପରିବାର ।

ଘର ଓଡ଼ିଶାରେ ବୃତ୍ତି ଯୋଗାଉଛି ପଡ଼ୋଶୀ ରାଜ୍ୟ । ଆଉ ଏହି ବୃତି ଯୋଗାଇବା ବାହାନାରେ ଓଡିଶାର ନିରିହ ବୁଣାକାରଙ୍କୁ ରିତିମତ ଶୋଷଣ କରି ଚାଲିଛନ୍ତି ଛତିଶଗଡର ଦଲାଲ । ଛତିଶଗଡ ଶୋଷଣର ଶିକାର ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷା ଗୁମୁଡା ବ୍ଲକ ଆଁଉଳି ଗାଁର ତନ୍ତ ପରିବାର । ଏଠାକାର ତନ୍ତ ପରିବାର ମୁଖ୍ୟତଃ ଲୁଗା ବୁଣି ପରିବାର ପ୍ରତିପୋଷଣ କରିଥାନ୍ତି । ବୁଣାକାରମାନେ ଶାଢି, ଗାମୁଛା ଓ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରୁଛନ୍ତି । ହେଲେ ବୁଣା କାମ ନିମନ୍ତେ କଂଚାମାଲର ଅଭାବ ବଡ ପ୍ରତିବନ୍ଧକ ସାଜିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଛତିଶଗଡର ଦଲାଲ ।

ଛତିଶଗଡର ବ୍ୟବସାୟୀଙ୍କୁ ଠାରୁ ଆଁଉଳି ଗାଁର ବୁଣାକାର ମାନେ ସୂତା ଆଣି ଲୁଗା ବୁଣିବା ପରେ ବ୍ୟବସାୟୀଙ୍କୁ ଲୁଗା ବିକ୍ରୀ କରିଥାନ୍ତି । ଦିନ ତମାମ ପୁରା ପରିବାର ଲାଗି ଲୁଗା ତିଆରି କରିଥାନ୍ତି ହେଲେ ବିକ୍ରୀ ବେଳକୁ କେବଳ ଦୈନିକ ମଜୁରୀ ପାଇଥାନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ହେଉଛି । ଓଡିଶାର ବୁଣାକାର ନିଜ ରାଜ୍ୟରେ ଅପରିଚ ପାଲଟିଥିବା ବେଳେ ସେମାନଙ୍କୁ ସହାୟତା ଆଳରେ ଶୋଷଣ କରୁଛି ଛତିଶଗଡ । ଆଉ ନିଜ ରାଜ୍ୟରୁ କୌଣସି ସହାୟତା ମିଳୁନଥିବାରୁ ମୁଣ୍ଡପାତି ପଡୋଶୀ ରାଜ୍ୟର ଶୋଷଣକୁ ସହୁଛନ୍ତି ତନ୍ତି ପରିବାର । ସେପଟେ ରାଜ୍ୟ ସରକାର ଏହାର ସମାଧାନ ଦିଗରେ ପଦକ୍ଷେପ ନେଉଥିବା କହିଛନ୍ତି ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ । ସୀମାନ୍ତ ବର୍ତି ଅଂଚଳର ବୁଣାକାରଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି । ବେଳ ଥାଉ ଥାଉ ରାଜ୍ୟ ସରକାର ସରକାରଙ୍କ ସେମାନଙ୍କୁ ସହାୟତା ଯୋଗାଇ ନଦେଲେ ଓଡିଶାର ପାଉଣାକୁ ଏମିତି ଶୋଷ ଚାଲିଥିବ ପଡୋଶୀ ଛତିଶଗଡ ।