ହରିୟାଣାର ହିରୋ କିଏ? କାହାକୁ ମିଳିନି ମ୍ୟାଜିକ୍ ନମ୍ବର, ସରକାର ଗଢିବାକୁ ବିଜେପିକୁ ଗ୍ରୀନ୍ ସିଗନାଲ୍ ଦେଲେ ସ୍ୱାଧୀନ ବିଧାୟକ । 

179

କନକ ବ୍ୟୁରୋ : ହରିୟାଣାରେ କିଏ ଗଢିବ ସରକାର, ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ୯୦ ଆସନ ବିଶିଷ୍ଟ ହରିୟାଣାରେ ମ୍ୟାଜିକ ନମ୍ବର ୪୬ ହୋଇଥିବା ବେଳେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ । ସ୍ୱାଧୀନ ଓ ଜେଜେପି ବିଧାୟକଙ୍କ ସମର୍ଥନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅବଶ୍ୟ ଏହି ଦୌଡ଼ରେ ବିଜେପି ଆଗରେ ରହିଛି । ବିଜେପିକୁ ବିବାଦୀୟ ଗୋପାଳ କାଣ୍ଡାଙ୍କ ସମେତ ୯ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ମିଳିଥିବା ସୂଚନା ମିଳିଛି ।

ହରିୟାଣାରେ କୌଣସି ଦଳକୁ ମିଳିନି ସଂଖ୍ୟାଗରିଷ୍ଠତା । ଏବେ ରାଜ୍ୟରେ କିଏ ଗଢ଼ିବ ସରକାର, ତାକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ଦିଲ୍ଲୀରୁ ହରିୟାଣା ପର୍ଯ୍ୟନ୍ତ ଚାଲିଛି ଘନ ଘନ ବୈଠକ । ପୁଣି ଥରେ ସରକାର ଗଠନ ପାଇଁ ଜୋରଦାର କସରତ ଚଳାଇଛିି ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପରବର୍ତି କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି ମନୋହର ଲାଲ ଖଟ୍ଟର । ଭାରତୀୟ ଜନତା ପାର୍ଟି ବହୁମତ ପାଇନଥିଲେ ମଧ୍ୟ ୪୦ଟି ଆସନରେ ବିଜୟୀ ହୋଇ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସହ ୯ଜଣଙ୍କ ସମର୍ଥନ ମିଳିଥିବା ଦାବି କରିଛି ଦଳ । ଏହାରି ଭିତରେ ବିଜେପିକୁ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ମିଳିବା ପରେ ଏହାକୁ ନେଇ ଦଳକୁ ଘେରିଛି କଂଗ୍ରେସ ।

ଦିଲ୍ଲୀରେ ଜେପି ନଡ୍ଡା ଓ ହରିୟାଣା ଦାୟିତ୍ୱରେ ଥିବା ଅନୀଲ ଜୈନ ସ୍ୱାଧୀନ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ନବନିର୍ବାଚିତ ବିଧାୟକଙ୍କୁ ଭେଟିବା ପରେ ସରକାର ଗଢ଼ିବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନୋହର ଲାଲ୍ ଖଟ୍ଟର ।  ଅନ୍ୟପଟେ ହରିୟାଣାରେ ୩୧ଟି ଆସନ ପାଇଥିବା କଂଗ୍ରେସ ମଧ୍ୟ ସରକାର ଗଠନ କରିବାକୁ ପ୍ରୟାସ ଚଳାଇଛି । ଦିଲ୍ଲୀରେ ପହଁଚିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡା । ନିର୍ବାଚନରେ ବିଜୟୀ ହୋଇଥିବା ଅନ୍ୟ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକମାନେ ଏକାଠି ହେବାକୁ ଆହ୍ୱାନ ଦେଇଛି କଂଗ୍ରେସ ।

ସେପଟେ ଯେଉଁ ଦଳ ରାଜ୍ୟର ବିକାଶ ଦିଗରେ କାମ କରିବ ଜେଜେପି ତାକୁ ସମର୍ଥନ ଜଣାଇବ ବୋଲି ଜେଜେପି ମୁଖ୍ୟ ଦୁଶ୍ୟନ୍ତ ଚୌଟାଲା କହିଛନ୍ତି । ୯୦ ଆସନ ବିଶିଷ୍ଟ ହରିୟାଣାରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନଥିବା ବେଳେ ପରବର୍ତି ସରକାର ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ବିଜେପି ଓ କଂଗ୍ରେସ ।