ଧନ୍ୟବାଦ ଭଗବାନ, ମତେ ଝିଅଟିଏ କରିନ! ଦେଶରେ ଝିଅ ହୋଇ ଜନ୍ମ ନେବା ଭୁଲ୍?

128

a01e50e3-c09f-43c2-9577-ae51c50b3558

ସ୍ୱୟଂପ୍ରକାଶ ମହାପାତ୍ର

ଖବରକାଗଜର ପ୍ରଥମ ପୃଷ୍ଠାର ଖବର ସକାଳୁ ସକାଳୁ ମନକୁ ବ୍ୟତିବ୍ୟସ୍ତ କରିଦେଲା । ଆଇଆଇଟି ଭଳି ନାମକରା ଶିକ୍ଷାନୁଷ୍ଠାନ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆଇଆଇଟି ଭୁବନେଶ୍ୱରରେ ଯୈାନ ନିର୍ଯାତନା । ପଶ୍ଚିମବଙ୍ଗର ଜଣେ ପିଏଚଡି ଛାତ୍ରୀଙ୍କୁ ଜଣେ ପ୍ରଫେସର ଯୈାନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ, ଛାତ୍ରୀ ଜଣକ ବିବାହ କରିଥିବା ପିଏଚଡି ଛାତ୍ରଙ୍କୁ ମଧ୍ୟ ମାନସିକ ନିର୍ଯାତନା ଦିଆଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ସ୍ଥିତି ଅସହ୍ୟ ହେବାରୁ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଛାତ୍ରୀ ଜଣକ । ଆଉ ଏହାରି ଭିତରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପ ସଚିବ ଏନେଇ ଆଇଆଇଟି ଭୁବନେଶ୍ୱର କୁଳସଚିବଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି ।

ଏଥିଲା ପୁରା ଘଟଣା, ହେଲେ ଚିନ୍ତାଜନକ ବିଷୟ ହେଉଛି, ଆଇଆଇଟି ଭଳି ଅନୁଷ୍ଠାନରେ ଏଭଳି ଘଟଣା ଘଟିବା । ନିଜ ଓକିଲଙ୍କ ଜରିଆରେ ପଶ୍ଚିମବଙ୍ଗ ପିଏଚଡି ଛାତ୍ରୀ ଯେଉଁ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ । ଯେଉଁ ପ୍ରଫେସରଙ୍କ ଅଧୀନରେ ୨୦୧୧ରୁ ସେ ପିଏଚଡି କରୁଥିଲେ, ସେ ତାଙ୍କୁ ଝିଅ ଭାବେ ଦେଖୁଥିଲେ । ସେହି ସମୟରେ ଉକ୍ତ ପ୍ରଫେସରଙ୍କ ଲାବୋରୋଟେରୀରେ ସେ ଏକମାତ୍ର ଝିଅ ଥିଲେ । ହେଲେ ୨୦୧୨ରେ ଯେତେବେଳେ ଆଉ ଦୁଇ ଜଣ ସେହି ପ୍ରଫେସରଙ୍କ ଅଧୀନରେ ପିଏଚଡି କରିବାକୁ ଯୋଗ ଦେଲେ ଓ ସେହି ବର୍ଷ ନଭେମ୍ବରରେ ପୀଡିତା ଛାତ୍ରୀ ଜଣକ ଅନ୍ୟ ଜଣେ ପିଏଚଡି ଛାତ୍ରଙ୍କୁ ବିବାହ କଲେ, ତାପରେ ସବୁକିଛି ବଦଳିଗଲା । ପ୍ରଫେସରଙ୍କର ବ୍ୟବହାର, ଆଚ୍ଚରଣ, ଉଚ୍ଚାରଣ ସବୁଥିରେ ଆସିଥିଲା ପରିବର୍ତ୍ତନ । ବଡ କଥା ଥିଲା, ଯେଉଁ ପ୍ରଫେସରଙ୍କ ବାବଦରେ ଏଠି ଆଲୋଚନା କରାଯାଉଛି, ତାଙ୍କ ନାଁରେ ମଧ୍ୟ ପୂର୍ବରୁ ଅଶାଳୀନ ବ୍ୟବହାରର ଅଭିଯୋଗ ରହିଥିଲା । ଆଇଆଇଟି ଭୁବନେଶ୍ୱରର ଜଣେ ମହିଳା ପ୍ରଫେସର ଏହି ଅଭିଯୋଗ ଆଣିଥିଲେ ।

ପଶ୍ଚିମବଙ୍ଗର ପିଏଚଡି ଛାତ୍ରୀଙ୍କ ଓକିଲ ପଠାଇଥିବା ନୋଟିସରେ କୁହାଯାଇଛି, ବିବାହ ବିଛେଦ ପାଇଁ ପ୍ରଫେସର ଜଣକ ଚାପ ପକାଇବା ସହ ଆଶ୍ରମକୁ ପଠାଇବାକୁ ପ୍ରବର୍ତ୍ତାଇଥିଲେ । ଏପରିକି ମାସକୁ ୧୦ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ବି ଦେଇଥିଲେ ପ୍ରଫେସର ଜଣକ । ସବୁ ପଇଁତରାବାଜି ଫେଲ୍ ମାରିବା ପରେ ପୀଡିତା ଛାତ୍ରୀଙ୍କ ସ୍ୱାମୀଙ୍କୁ ଡିଗ୍ରୀ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଭାବିଥିଲେ, ଏଭଳି କଲେ ହୁଏତ, ଛାତ୍ରୀ ଜଣକ ବାଧ୍ୟ ହୋଇ ତାଙ୍କ କଥାରେ ରାଜି ହେବେ । କିନ୍ତୁ କଥା ନିୟନ୍ତ୍ରଣ ବାହାରକୁ ଯିବାପରେ ଏନେଇ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ।

6f65fe47-0a1c-4ac6-92c6-9d06bfb0c509ପୁରା ଘଟଣାକୁ ନଜର ପକାଇଲେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ପ୍ରଶ୍ନ ଉଠିବା ସ୍ୱାଭାବିକ । ଜଣେ ମହିଳା ହୋଇ ଆଇଆଇଟି ଡିଗ୍ରୀ ହାସଲ କରିବାକୁ ସ୍ୱପ୍ନ ଦେଖିବା କଣ ଭୁଲ? ସରକାରୀ ଚାକିରୀ ଛାଡି ପିଏଚଡି ପାଇଁ ଆଡମିଶନ କରିବା ଭୁଲ ଥିଲା କି? ଦେଶରେ ଜଣେ ଝିଅ ହୋଇ ଜନ୍ମ ହେବା କଣ ଭୁଲ? ଜଣେ ପିଏଚଡି ସ୍କଲାରଙ୍କୁ ବାହାହେବା ଓ ଜଣେ ଛୁଆର ମା ହେବା କଣ ଭୁଲ? ଏଭଳି ବେଆଇନ କାମ ବିରୋଧରେ ସ୍ୱର ଉଠାଇବା କଣ ଭୁଲ? ପିଏଚଡି ଡିଗ୍ରୀକୁ ନେଇ ସୁପରଭାଇଜର କଣ ଏମିତି ଖେଳ ଖେଳୁଥିବେ? ଏଭଳି ପ୍ରଶ୍ନ ଆଜିର ଦିନରେ ଶତ ପ୍ରତିଶତ ଠିକ । ମୁଁ ଜାଣିନାହିଁ, ଏହି କଷ୍ଟକୁ କେତେଜଣ ବୁଝିପାରୁଥିବେ, କିନ୍ତୁ ଉକ୍ତ ମହିଳାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବୁ, ଯିଏ ପୁରା ଏହି ବ୍ୟବସ୍ଥା ବିରୋଧରେ ବଡଧରଣର ସ୍ୱର ଉଠାଇଛନ୍ତି ।

ଯେଉଁ ଦିଗଟି ମୋ ହୃଦୟକୁ ସବୁଠାରୁ ଅଧିକ ଆନ୍ଦୋଳିତ କରୁଛି, ତାହା ହେଲା ଦେଶରେ ଝିଅଟିଏ ହୋଇ ଜନ୍ମ ହେବା କଣ ଭୁଲ । ଆକ୍ସନ ଏଡ୍ ପକ୍ଷରୁ ନିକଟ ଅତୀତରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ପ୍ରତି ୫ ଜଣ ମହିଳାରେ ୪ ଜଣ ସର୍ବସାଧାରଣ ସ୍ଥାନରେ କୈାଣସି ପ୍ରକାରେ ବି ଅସଦାଚରଣର ଶିକାର ହୋଇଥାନ୍ତି । ୨୫ ରୁ ୩୫ ବର୍ଷ ମଧ୍ୟରେ ୮୪ ପ୍ରତିଶତ ମହିଳା ଏହାର ଶିକାର ହୁଅନ୍ତି । ଯେଉଁମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ହେଉଛନ୍ତି ଛାତ୍ରୀ । ଏହା ହେଉଛି ସବୁଠାରୁ ଚିନ୍ତାଜନକ ବିଷୟ ।

ଦିଲ୍ଲୀର ନିର୍ଭୟା ଘଟଣା ପରେ ସାରା ଦେଶରେ ଯେଉଁ ରାଗ ତିଆରି ହୋଇଥିଲା ଆଜି ତାହା କେଉଁଠି, ଚିନ୍ତା କରିବାର ଆବଶ୍ୟକତା ରହୁଛି । ସଂସଦରେ ବିତର୍କ ହେଲା, କଡା ଆଇନ କଥା କୁହାଗଲା, ସବୁ ସ୍ତରରେ ଚନ୍ତି ନ କରାଗଲା, ହେଲେ ସ୍ଥିତି ଯେଉଁଠି ସେଇଠି ରହିଗଲା । ସାରା ଦେଶରେ ଗତବର୍ଷ ମହିଳାଙ୍କ କ୍ଷେତ୍ରରେ ନିର୍ଯାତନା ଜନିତ ୩.୨୭ ଲକ୍ଷ କେସ ପଂଜୀକୃତ ହୋଇଛି । ଗତ ୪ ବର୍ଷ ଭିତରେ ଏହା ବଢିଛି ୩୪ ପ୍ରତିଶତ ।

ଏବେ ଓଡିଶାରେ ମହିଳାଙ୍କ କ୍ଷେତ୍ରରେ ହେଉଥିବା ନିର୍ଯାତନା ସଂକ୍ରାନ୍ତରେ ନଜର ପକାନ୍ତୁ । ୨୦୧୫ର ତଥ୍ୟ କହୁଛି, ଓଡିଶାରେ ମହିଳାଙ୍କ କ୍ଷେତ୍ରରେ ନିର୍ଯାତନା ବାବଦ ୧୭, ୧୪୪ଟି ମାମଲା ରୁଜ୍ଜୁ ହୋଇଛି । ଓଡିଶା ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ରର ତଥ୍ୟ କହୁଛି, ଦିନକୁ ରାଜ୍ୟରେ ହାରାହାରି ୬ଟି ମାମଲା ରୁଜ୍ଜୁ ହେଉଛି । ଗତବର୍ଷ ସାରା ରାଜ୍ୟରେ ୨, ୧୪୪ ବଳାତ୍କାର ମାମଲା ଦାୟର ହୋଇଛି ।

59787fec-20c1-414d-85f2-a12e07e4a5feଏଭଳି ପରିସଂଖ୍ୟାନ ଦେଖିଲେ ଲାଗୁଛି, ସତେ ଯେମିତି ଆଜିର ଦିନରେ ଝିଅଟିଏ ହୋଇ ଜନ୍ମ ହେବା ବଡ ଭୁଲ । ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଯାଏଁ ଅନେକ ଦିଗ ପ୍ରତି ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ହେଲେ ବାସ୍ତବ ସ୍ଥିତିରେ କୈାଣସି ପରିବର୍ତ୍ତନ ଆସୁନାହିଁ । ରାସ୍ତାଘାଟ, ବଜାର ଏପରିକି ଶିକ୍ଷାନୁଷ୍ଠାନ ସବୁଠି ଝିଅ ଆଜି ଅସୁରକ୍ଷିତ । କାହିଁକି ନା ସମସ୍ତଙ୍କ ନଜରରେ ଝିଅଟିଏ ଉପଭୋଗର ଏକ ମାଧ୍ୟମ ବା ବସ୍ତୁଟିଏ । ତାଠାରୁ ଅଧିକ କିଛି ନୁହେଁ ।

ଏଭଳି ଲକ୍ଷଣ ମୋ ନିକଟରେ ମଧ୍ୟ ଅଛି । ଯେଉଁଠି ଝିଅଟିଏ ଅସଦାଚରଣର ଶିକାର ହେଲେ ବା କୈଣସି ଝିଅର ଏମଏମଏସଟିଏ ଆସିଲେ କିମ୍ବା ନିଜ ପରିବାରରେ ନିର୍ଯାତନା ସହିଲେ, ତାକୁ ଯେଭଳି ଦୃଷ୍ଟିରେ ଦେଖାଯଏ, ତାହା ମୋ ମାନସିକତାକୁ ମଧ୍ୟ ପଦାରେ ପକାଏ । କାରଣ ମୁଁ ସେଠି ତାକୁ ଖବରର ଦୃଷ୍ଟିକୋଣରେ ଦେଖେ । ଆଉ ଭାବେ, ଏହି ନ୍ୟୁଜଟି ଆସିଗଲେ ଲୋକେ ବହୁତ ଟିଭି ଦେଖିବେ । ସେହି କ୍ଷଣରେ ମନରେ କେବଳ ଟିଆରପି ଭାବନା ଆସିଥାଏ, ହେଲେ ଏହାର ସୁଦୁର ପ୍ରଭାବ କଣ ରହିବ , ତାଉପରେ କମ ଚିନ୍ତା କରାଯାଇଥାଏ । ଏଭଳି ହଜାର ହଜାର ଉଦାହରଣ ରହିଛି, ଯେଉଁଠି ଝିଅଟିଏ ନିର୍ଯାତନାର ଶିକାର ହେଲେ ତାକୁ ପ୍ରମୁଖତାର ସହ ବୁଲେଟିନରେ ସାମିଲ କରାଯାଇଥାଏ । ଆପଣମାନେ ମତେ ବି ଦୋଷ ଦେଇପାରିବେ, ହେଲେ ଏହାହିଁ ବାସ୍ତବତା । ଏଭଳି ଖବର ପରେ ଆମେ ଗୋଟିଏ ହିଁ ବାର୍ତ୍ତା ପାଇଥାଉ, ଆପଣମାନେ ଟିଆରପି ପାଇଁ ଏଭଳି କାମ କରନ୍ତି ।

ହେଲେ ଆଇଆଇଟି ଭୁବନେଶ୍ୱରରେ ହୋଇଥିବା ନିର୍ଯାତନା କିଛି ଅଲଗା ଦିଗକୁ ଇଙ୍ଗିତ କରୁଛି । ଗୋଟିଏ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଲାଗିଛି କଳଙ୍କ । ଯେଉଁଠି ଏହାର ଅଧିକାରୀ ଅଭିଯୋଗକୁ ମିଛ କହିସାରିଲେଣି । ଏଠି ପୀଡିତାଙ୍କ ଅଭିଯୋଗକୁ ଯଥାସମ୍ଭବ କପୋଳକଳ୍ପିତ ଭାବେ ଉପସ୍ଥାପନ କରିବାକୁ ଆଇଆଇଟି ପକ୍ଷରୁ ଚେଷ୍ଟା କରାଯାଇଛି । ଏହା ହୋଇପାରେ, ଆଇଆଇଟି ପକ୍ଷରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି, ସେଥିରେ ସତ୍ୟତା ଥାଇପାରେ । ହେଲେ ଜଣେ ଝିଅ ଏଭଳି ମିଛ କାହିଁକି କହିବେ? ନିଜ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ବଂଚାଇବାକୁ ଆଇଆଇଟି କର୍ତ୍ତୃପକ୍ଷ ଏଭଳି ରିପୋର୍ଟ ଦେବା ସ୍ୱାଭାବିକ । ଆଇଆଇଟିର ସ୍ପଷ୍ଟୀକରଣ ହିସାବରେ, ଝିଅ ଜଣଙ୍କ ମିଛ କହିଛନ୍ତି ।

87cd3126-ed2a-4076-9e61-ea83f282a650ମନରେ ପ୍ରଶ୍ନ ଉଠୁଛି, ସବୁବେଳେ ସବୁଦୋଷ ଝିଅର । ଅସଦାଚରଣର ଶିକାର ହେଲେ ଝିଅର ଭୁଲ, କମେଂଟ ଖାଇଲେ ପୋଷାକରେ ଅସୁବିଧା ଥିଲା, ଶାଶୁଘରେ ନିର୍ଯାତନା ପାଇଲେ ନିଜକୁ ଠିକ ଭାବେ ଖାପ ଖୁଆଇ ପାରିଲାନି, ବଳାତ୍କାରର ଶିକାର ହେଲେ ରାତିରେ କାହିଁକି ଘରୁ ବାହାରୁଥିଲା, ସିଗାରେଟ ଟାଣିଲେ ଖରାପ ଚରିତ୍ରର ଝିଅଟା, ବାହାହେବା ବେଳେ କଳା ଗୋରାର ଭେଦଭାବ, ଝିଅଟିଏ ଜନ୍ମଦେଲେ ମାଡ, ଘରେ ଅସୁବିଧା ହେଲେ ଅଲକ୍ଷଣୀଟା, ଏଭଳି ଅନେକ କାରଣ ବୟାନ କରିବାକୁ ହଜାର ହଜାର ଲୋକ ମିଳିଯିବେ । ହେଲେ ଝିଅ
ସମର୍ଥନରେ ବାହାରିବା ଲୋକଙ୍କ ସଂଖ୍ୟା ଖୁବ କମ୍ । ଯେଉଁମାନେ, ଖାଲି କଥାରେ ସଶକ୍ତୀକରଣକୁ ନେଇ ଆଲୋଚନା କରିବେନି ବରଂ ବାସ୍ତବତାରେ କର୍ଯ୍ୟକାରୀ କରିବେ ।

ହଁ, ଆପଣମାନଙ୍କ ମଧ୍ୟରୁ ଅନେକ କହିପାରିବେ ବା ମତେ ଭୁଲ ପ୍ରମାଣିତ କରିପାରିବେ ଯେ, ଆମ ଦେଶରେ ଯେଉଁଠି ଜଣେ ମହିଳା ରାଷ୍ଟ୍ର ତି ହୋଇପାରନ୍ତି, ଲୋକସଭାର ବାଚସ୍ପତି ହୋଇପାରନ୍ତି, ସର୍ବ ପୂରାତନ ରାଜନୈତିକ ଦଳର ଅଧ୍ୟକ୍ଷ ହୋଇପାରନ୍ତି, ବଡ ବଡ କଂପାନୀରେ ସିନିୟର ପୋଷ୍ଟରେ ଚାକିରି କରିପାରନ୍ତି, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବା ସାମାଜିକ କ୍ଷେତ୍ର ସହ ନିଜ ନିଜ ଅଂଚଳରେ ପ୍ରତିଷ୍ଠା ମଧ୍ୟ ହାସଲ କରିପାରନ୍ତି । ସେତିକିବେଳେ ମୋ ମନର ଚିନ୍ତାଧାରା ଓ ଏଠାରେ ଅବତାରଣା ହୋଇଥିବା କିଛି ଦିଗ ଭୁଲ । ହେଲେ ମୋ ମତରେ, ଏଭଳି ମହିଳାଙ୍କ ସଂଖ୍ୟା କେତେ? ସାରା ଦେଶରେ ମହିଳା ଯେବେ ପୁରୁଷଙ୍କ ସହ ସମାନ ହୋଇ ଆଗକୁ ବଢିପାରିବେ, ସେଦିନ ଏହି ପରିସଂଖ୍ୟାନ ଉପରେ ଆଲୋଚନା କରିବାର ଯଥାର୍ଥତା ରହିବ ।

ଶେଷରେ ଭଗବାନ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି, ମତେ ଆପଣ ଝିଅଟିଏ କରିନାହାନ୍ତି । ମୁଁ ରାତିରେ ବାହାରେ ବୁଲିପାରିବି, ସେ ସବୁକିଛି କରିପାରିବି, ଯାହା ଝିଅଟିଏ କଲେ ତାକୁ ଅଲଗା ଦୃଷ୍ଟିରେ ବିଚାର କରାଯାଏ ଆଉ ପୁଅଟିଏ କଲେ ତାକୁ ବାହାବା ମିଳେ । ଆଜି କାହିଁ ଅନୁଭବ ହେଉଛି, ଝିଅଟିଏ ହୋଇ ଜନ୍ମ ନେବା ହୁଏତ ଭୁଲ୍ ।