ଦୁଷ୍କର୍ମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ପୁରୀ ଏସପି କହିଲେ, ବୟାନ ରେକର୍ଡ ବେଳେ ଦୁଷ୍କର୍ମକୁ ଅସ୍ୱୀକାର କରିଛନ୍ତି ପୀଡ଼ିତା । ଏପଟେ ପୀଡିତାଙ୍କ ଅଭିଯୋଗ, ମିଛ କଥା କହୁଛନ୍ତି ଏସପି ।

390

କନକ ବ୍ୟୁରୋ : ଦ୍ୱନ୍ଦ୍ୱରେ ପୁରୀର ଦୁଷ୍କର୍ମ ଘଟଣା । ପୁରୀ ଏସପିଙ୍କ ବୟାନ ଓ ପୀଡ଼ିତାଙ୍କ ଅଭିଯୋଗ ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇଦେଇଛି । ଏସପି ଉମାଶଙ୍କର ଦାଶ କହିଛନ୍ତି, ୧୬୧ ବୟାନ ରେକର୍ଡ ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା ପୀଡିତା କହିଥିଲେ । ଏବେ ପୀଡ଼ିତା ବାରମ୍ବାର ବୟାନ ବଦଳାଉଛନ୍ତି । ଅନ୍ୟପଟେ ଏସପି ମିଛ କହୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏସବୁ ଭିତରେ ଜାମିନ ନାମଂଜୁର ହେବା ପରେ ଅଭିଯୁକ୍ତ ଏଏସଆଇ ଚିତରଂଜନ ଦାସଙ୍କୁ ଜେଲ୍ ପଠାଇଦିଆଯାଇଛି ।

ଦ୍ୱନ୍ଦ୍ୱରେ ଦୁଷ୍କର୍ମ । ଏସପି ବନାମ ପୀଡ଼ିତା । କିଏ କହୁଛି ସତ ? ପୁରୀ ଜିଲ୍ଲା ବଳଙ୍ଗା ଦୁଷ୍କର୍ମ ମାମଲାକୁ ନେଇ ଯେତିକି ରାଜନୈତିକ ବୟାନବାଜି ଚାଲିଛି, ସେତିକି ଦ୍ୱନ୍ଦ୍ୱ ଉପୁଜାଇଛି ଏସପିଙ୍କ ବୟାନ ଓ ପୀଡ଼ିତାଙ୍କ ଅଭିଯୋଗ । ପୁରୀ ଏସପି ଉମାଶଙ୍କର ଦାଶ କହିଛନ୍ତି, ୧୬୧ ବୟାନ ରେକର୍ଡ ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଥିଲେ ପୀଡ଼ିତା । ଏପରିକି ଡାକ୍ତରୀ ମାଇନା ପାଇଁ ପୀଡ଼ିତା ରାଜି ହେଉନଥିବା କହିଛନ୍ତି ଏସପି ।

ସେପଟେ ଏସପି ମିଛ କହୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଘଟଣାକୁ ବହୁ ଦିନ ବିତି ଯାଇଥିବାରୁ ସେ କେବଳ ଡାକ୍ତରୀ ମାଇନା ପାଇଁ ମନା କରିଥିଲେ, ହେଲେ ଦୁଷ୍କର୍ମ ହୋଇନାହିଁ ବୋଲି କହିନଥିବା କହିଛନ୍ତି ପୀଡ଼ିତା ।

ଏସପିଙ୍କ ବୟାନ ଓ ପୀଡ଼ିତାଙ୍କ ଅଭିଯୋଗ ପୂରା ମାମଲାରେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ପୁରୀ ଏସପି କହିଛନ୍ତି, ପୀଡ଼ିତା ବାରମ୍ବାର ବୟାନ ବଦଳାଉଛନ୍ତି । ତେବେ ପୋଲିସ ଓ କୋର୍ଟରେ ପୀଡ଼ିତା ଦେଇଥିବା ବୟାନ ଆଧାରରେ ତଦନ୍ତ କରାଯିବ ।

ଘରୋଇ କଳହର ସାମଧାନ ପାଇଁ ବଳଙ୍ଗା ଥାନା ଆସିଥିବା ବେଳେ ପୀଡ଼ିତାଙ୍କୁ ଏଏସଆଇ ଚିତରଞ୍ଜନ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିବା ପରେ ଅଭିଯୁକ୍ତ ଏଏସଆଇ ଚିତରଂଜନ ଦାସଙ୍କୁ ନିଲମ୍ବିତ କରାଯାଇଛି ।