ମହିଳାଙ୍କ ପାଇଁ ଖୁସି ଖବର ! ଶସ୍ତା ହେବ ଏସି, ଫ୍ରିଜ,ଓ୍ଵାସିଂ ମେସିନ । ଆଗାମୀ ଜିଏସଟି ବୈଠକରେ ହୋଇପାରେ ନିଷ୍ପତ୍ତି

37

ଆସନ୍ତା ଜିଏସଟି କାଉନସିଲ ବୈଠକରେ ମହିଳାଙ୍କ ପାଇଁ ଖୁସି ଖବର ଆଣିପାରେ । ଜିଏସଟି ଆଗାମୀ ବୈଠକରେ ଦେଶର ମହିଳାମାନଙ୍କୁ ଖୁସି କରିବା ଭଳି କେତୋଟି ପଦକ୍ଷେପ ନେବା ସମ୍ଭାବନା ରହିଛି । ମହିଳାମାନେ ବହୁଳ ବ୍ୟବହାର କରୁଥିବା ଘରୋଇ ଉପକରଣ ଯଥା ଓ୍ଵାସିଂ ମେସିନ, ଏସି, ଫ୍ରିଜ ଉପରୁ ଜିଏସ୍ଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ସମ୍ଭାବନା ରହିଥିବାରୁ ଏହା ଆଶା କରାଯାଉଛି। ଏପରିହେଲେ ଦେଶରେ ଓ୍ଵାସିଂ ମେସିନ୍, ଏସି ଏବଂ ରେଫ୍ରିଜରେଟରର ମୂଲ୍ୟ ଶସ୍ତା ହେବ।

ଗତ ମାସରେ ଅନୁଷ୍ଠିତ ପରିଷଦର ୨୩ତମ ବୈଠକରେ ୨୮ ପ୍ରତିଶତ ଜିଏସଟି ବର୍ଗରେ ରହିଥିବା ୧୭୮ଟି ସାମଗ୍ରୀକୁ ୧୮ ପ୍ରତିଶତ କମାଇ ଦିଆଯାଇଥିଲା। ଏତଦବ୍ୟତୀତ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଂଟରେ ଜିଏସଟି ହାରକୁ ମଧ୍ୟ ଯଥାକ୍ରମେ ୧୮ ଓ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଚଳିତମାସ ୧୫ ତାରିଖରୁ ଏସବୁକୁ କାର୍ୟ୍ୟକାରୀ କରାଯାଇଛି।

ତେବେ ୨୮ ପ୍ରତିଶତ ଜିଏସଟି ବର୍ଗରେ କେବଳ ବିଳାସପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଗୁଡ଼ିକୁ ରଖାଯିବ ବୋଲି ଆଭାସ ମିଳିଛି। ତେଣୁ ଏସି, ରେଫ୍ରିଜରେଟର ଏବଂ ଓ୍ଵାସିଂ ମେସିନ ଭଳି ଜିନିଷକୁ ୧୮ ପ୍ରତିଶତ କମାଇ ଦିଆଯିବ ବୋଲି ଅନୁମାନ କରାଯାଉଛି।
ଜିଏସଟିରେ ଗୋଟିଏ ଟିକସ ଲାଗୁ କରିବା ପାଇଁ ହେଉଥିବା ଦାବିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷ ଅରୁଣ ଜେଟଲି ଖଣ୍ଡନ କରିସାରିଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକତା ଅନୁଯାୟୀ ଜିଏସଟିର କେଉଁ ଟିକସ ବର୍ଗରେ କେଉଁ ସାମଗ୍ରୀ ରହିବ ସେ ପ୍ରକ୍ରିୟା ଜାରି ରହିବ। ତା ସହ ଜିଏସଟି ସରଳୀକରଣ ଉପରେ ଗୁରୁତ୍ୱ ଦିଆଯିବ ।

ଜେଟଲିଙ୍କ ଏହି ମନ୍ତବ୍ୟରୁ ଏହା ଜଣାପଡୁଛି ଯେ ୨୮ ପ୍ରତିଶତ ଜିଏସଟି ବର୍ଗରୁ ଆଉ କିଛି ସାମଗ୍ରୀକୁ ବାଦ ଦିଆଯାଇପାରେ। ଏଥିରେ ଓ୍ଵାସିଂ ମେସିନ, ରେଫ୍ରିଜରେଟର ଏବଂ ଏସି ଆଦି ସାମଗ୍ରୀ ରହିପାରେ। ଓ୍ଵାସିଂ ମେସିନ ଭଳି ସାମଗ୍ରୀ ମହିଳାଙ୍କ କାର୍ଯ୍ୟ କମ କରିଥାଏ ବୋଲି ଅନ୍ତର୍ଜାତୀୟ ସ୍ତରରେ ବିବେଚନା କରାଯାଏ। ହାତରେ ବାସନ ମାଜିବା ଏବଂ ଲୁଗାପଟା ସଫା କରିବା ଯୋଗୁଁ ଘରେ ସ୍ତ୍ରୀଲୋକମାନଙ୍କର ଅଧିକ ସମୟ ଖର୍ଚ ହୋଇଥାଏ। ଫଳରେ ମହିଳାମାନେ ପରିବାରକୁ ଆର୍ଥିକ ଲାଭ ପହଞ୍ଚାଇବା ଭଳି ଅନ୍ୟ କାର୍ଯ୍ୟ କରିବା ଲାଗି କମ୍ ସମୟ ପାଇଥା’ନ୍ତି। ତେଣୁ ଏସବୁ ସାମଗ୍ରୀର ଟିକସ କମିଲେ ମହିଳାମାନେ ଏଗୁଡ଼ିକୁ କିଣିବାକୁ ସକ୍ଷମ ହେବେ।

ଗୁଜରାଟ ନିର୍ବାଚନ ଥିବାରୁ ଜିଏସଟି ପରିଷଦକୁ ଯେଉଁସବୁ ଲୋକାଭିମୁଖୀ ପ୍ରସ୍ତାବ ଆସୁଛି ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଆଗାମୀ ବୈଠକରେ ଏସବୁ ସାମଗ୍ରୀର ଜିଏସଟି ହ୍ରାସ ପାଇବର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି।ଚଳିତବର୍ଷ ଜୁଲାଇ ପହିଲାରୁ ଦେଶରେ ଜିଏସଟି କାର୍ୟ୍ୟକାରୀ ହେଉଛି। ଜିଏସଟିରେ କିଛି ସାମଗ୍ରୀକୁ ଟିକସ ପରିସରରୁ ବାଦ ଦିଆଯାଇ ଥିବାବେଳେ ଅନ୍ୟ ସାମଗ୍ରୀ ଓ ସେବାକୁ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସାମଗ୍ରୀ ବର୍ଗରେ ରଖାଯାଇଛି। ଏତଦବ୍ୟତୀତ ୨୮ ପ୍ରତିଶତ ଟିକସ ବାଦ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଉପରୁ ସରକାର ସେସ ଆଦାୟ କରୁଛନ୍ତି।