ଗଠନ ହେବ ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ପରିଷଦ ! ଜିଏସଟି ଉଚ୍ଛେଦ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

47

କନକ ବ୍ୟୁରୋ: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବିକାଶ ଓ ପ୍ରସାର ପାଇଁ ରାଜ୍ୟ ସରକାର ଏକ ପରିଷଦ ଗଠନ କରିବେ । ଏହାର ନାମ ରହିବ ‘ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ପରିଷଦ’। ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ମଧ୍ୟ ଏହା କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି ।

ଶୁକ୍ରବାର ଓଡ଼ିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ଜିଏସଟି ଲାଗୁ ହେବା ପରେ ଏହି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ସେମାନେ କହିଥିଲେ । ଜିଏସଟି ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ୫୦ ହଜାର ଶିଳ୍ପୀ ଓ ବୁଣାକାରଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ ।

ମହାସଂଘର ଏହି ଦାବି ପରିପ୍ରେକ୍ଷୀରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି । ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ସେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଜିଏସଟି ଦ୍ୱାରା ରାଜ୍ୟର ସାଢ଼େ ତିନି ଲକ୍ଷରୁ ଅଧିକ ଶିଳ୍ପୀ ଓ ବୁଣାକାର ପରିବାରଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ତେଣୁ ଆମ ଦେଶର ଶିଳ୍ପୀ ଓ କାରିଗରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଜିଏସଟି ମୁକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ ୫ରୁ ୧୮ ପ୍ରତିଶତ ପର୍ୟ୍ୟନ୍ତ କର ଧାର୍ଯ୍ୟ କରାଯାଇଛି । ଜିଏସଟି କାଉନ୍ସିଲରେ ମଧ୍ୟ ଓଡ଼ିଶା ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ ଜିଏସଟି ଉଚ୍ଛେଦ ପାଇଁ ଦାବି କରିଆସିଛନ୍ତି । ଗତକାଲିର ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ, ପୂର୍ବତନ ବିଧାୟକ ପ୍ରଶାନ୍ତ ନନ୍ଦ, ଓଡ଼ିଶା ଶିଳ୍ପୀ ମହାସଂଘର ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁ, କାର୍ଯ୍ୟକାରୀ ସଭାପତି ଉଦୟ ମହାନ୍ତି, ଉପସଭାପତି ଶ୍ରୀଧର ବେହେରା ଓ ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ ।