ଅନ୍ୟ ପାଇଁ ଉଦାହରଣ ସାଜିଲେ ରଜତ । ହାତ ନଥିଲେ ମଧ୍ୟ ମୁହଁରେ କଲମ ଧରି ନିଟ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ, ଡାକ୍ତର ହୋଇ ଲୋକଙ୍କ ଚିକିତ୍ସା କରିବାକୁ ଲକ୍ଷ୍ୟ ।

132

କଠିନ ପରିଶ୍ରମ ଓ ଲକ୍ଷ ମଜବୁତ ରଖି ଦିବ୍ୟାଙ୍ଗ ରଜତ କୁମାର ଆଜି ଯେଉଁଠି ପହଞ୍ଚିଛନ୍ତି, ତାହା ନିଶ୍ଚୟ ସମସ୍ତଙ୍କୁ ଆଗକୁ ବଢ଼ିବାରେ ଅନୁପ୍ରାଣିତ କରିବ । ଦୁଇ ହାତ ନଥାଇ ମଧ୍ୟ ନିଟ୍ ଭଳି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଛନ୍ତି ରଜତ । ଆଜି ପର୍ଯ୍ୟନ୍ତ ପରୀକ୍ଷାରେ ଲେଖିବା ପାଇଁ ସେ ଅନ୍ୟ କାହାର ସାହାଯ୍ୟ ନ ନେଇ ମୁହଁରେ କଲମ ରଖି ଲେଖି ଆସିଛନ୍ତି । ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସେ କରିଥିବା କଠିନ ପରିଶ୍ରମ ଆଜି ତାଙ୍କୁ ଏତେ ବଡ଼ ସଫଳତା ଆଣି ଦେଇଛି । ପିଲାମାନଙ୍କ ହାତ ଓ ଗୋଡ଼ ଠିକ୍ ଥାଇ ମଧ୍ୟ ସେମାନଙ୍କ ପାଇଁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କାଠିକର ପାଠ ହୋଇଥିବା ବେଳେ ରଜତଙ୍କ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ନେରଚୌକରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜରେ ପାଠ ପଢ଼ିବା ସହ ଡ଼ାକ୍ତର ହେବା ପରେ ଗୋଡ଼ରେ ଷ୍ଟେଥୋସ୍କୋପ ଧରି ସେ ରୋଗୀଙ୍କ ଚିକିତ୍ସା କରିବେ ବୋଲି କହିଛନ୍ତି ।

ସୂଚନା ମୁତାବକ, ସ୍କୁଲ ସମୟରୁ ହିଁ ଭଲ ଛାତ୍ର ଥିଲେ ରଜତ । ଦଶମ ବୋର୍ଡ ପରୀକ୍ଷାରେ ସେ ୭୦୦ରୁ ୬୧୩ନମ୍ବର ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଅନେକ ସମୟରେ ତାଙ୍କୁ ଅନ୍ୟର ସାହାଯ୍ୟ ନେବା ପାଇଁ କୁହାଯାଇଥିବା ବେଳେ ସେ ମନା କରିବା ସହ ଆଜି ପର୍ଯ୍ୟନ୍ତ ନିଜ ଗୋଡ଼ ଏବଂ ମୁହଁ ସାହାଯ୍ୟରେ ସବୁ କାମ କରି ଆସିଛନ୍ତି । ରଜତଙ୍କ ବାପାଙ୍କ ଅନୁଯାୟୀ, ରଜତ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଖେଳୁଥିବା ସମୟରେ ବିଜୁଳି ତାରର ସଂସ୍ପର୍ଶରେ ଆସି ଯାଇଥିଲା । ଯାହା ଫଳରେ କରେଣ୍ଟ ଲାଗିଯିବାରୁ ତା’ର ଦୁଇ ହାତକୁ କାଟିବାକୁ ପଡ଼ିଥିଲା । ଆମେ ହାର ମାନି ଯାଇଥିଲେ ମଧ୍ୟ ରଜତ ସବୁବେଳେ ନିଜ ମନୋବଳକୁ ସୁଦୃଢ଼ କରି ରଖିବା ସହ ଆମକୁ ସାହାସ ଦେଉଥିଲା । ତା’ର ପରିଶ୍ରମ ଆଜି ତାକୁ ଏଠାରେ ପହଞ୍ଚାଇଛି ।