ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଦୁଇ ହାତ କାଟିଦେଲେ ବାପ-ପୁଅ

26

ଯାଜପୁର : ଯାଜପୁର ଜିଲ୍ଲାରେ ଚାଂଚଲ୍ୟକର ଘଟଣାା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଦୁଇଟି ଯାକ ହାତ କାଟି ଦେଇଛନ୍ତି ବାପ ପୁଅ । କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ବିକାଶ ଲେଙ୍କା ।

ସୂଚନା ଅନୁସାରେ , ପୂର୍ବରୁ ଦୁଇ ଦୁଇ ଥର ସେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ବିକାଶ ଜେଲ୍ ଯାଇଛନ୍ତି । ଜେଲରୁ ଫେରିବା ପରେ ପଡୋଶୀ ହରି ବରାଳଙ୍କ ସହ ରୀତିମତ ଭାବେ ଗଣ୍ଡୋଗଳ କରୁଥିଲେ। ତେବେ ଗତକାଲି ରାତିରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ହରି ବରାଳ ଓ ତାଙ୍କ ପୁଅ ତପନ ମିଶି ବିକାଶଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରତିଶୋଧ ଏତେ ଭୟାନକ ହୋଇଥିଲା ଯେ ବାପା ବିକାଶଙ୍କୁ କାବୁ କରିଥିଲେ ଓ ପୁଅ ଦୁଇଟି ଯାକ ହାତକୁ ହାଣି ଦେଇଥିଲେ ।

କୁଆଖିଆ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାପପୁଅ ଫେରାର ହୋଇଯାଇଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ବିକାଶଙ୍କୁ କଟକ ବଡ ମେଡିକାଲରେ ଭର୍ତି କରା ଯାଇଛି ।

ଦୁଇ ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା ବଲାଙ୍ଗିର ଜିଲ୍ଲାରେ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ କିଛି ଦୁର୍ବୃତ୍ତଜଣେ ଯୁବକଙ୍କ ଦୁଇଟି ଯାକ ହାତ କାଟି ନେଇଥିଲେ।