ହାଲୱା ବିତରଣ ସହ ବଜେଟ ପାଇଁ ପ୍ରସ୍ତୁତି ପ୍ରକାଶନ ଆରମ୍ଭ । ସାମିଲ ହେଲେ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର । ଜାଣନ୍ତୁ ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ହୁଏ ହାଲୱା ସମାରୋହ

ଫେବୃଆରୀ ପହିଲାରେ ଉପସ୍ଥାପିତ ହେବ ବଜେଟ-୨୦୨୦

169

କନକ ବ୍ୟୁରୋ: ଦେଶର ବଜେଟ ଫେବୃଆରୀ ପହିଲାରେ ଉପସ୍ଥାପିତ ହେବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକାଶନ । ପ୍ରକାଶନ ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅର୍ଥ ମନ୍ତ୍ରଣାଳୟରେ ହାଲୁଆ ସମାରୋହ ହୋଇଛି । ଏହି ସମାରୋହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସାମିଲ ହୋଇଥିଲେ । ଏହା ସହିତ ପାର୍ଲାମେଂଟରେ ବଜେଟ ଉପସ୍ଥାପନ ହେବାଯାଏଁ ପ୍ରାୟ ଶହେରୁ ଅଧିକ କର୍ମଚାରୀ ନର୍ଥବ୍ଲକ ଭିତରେ ରହିବେ ।

ନର୍ଥବ୍ଲକର ବେସମେଂଟରେ ଥିବା ପ୍ରଂଟିଙ୍ଗ ପ୍ରେସ ଭିତରେ ବଜେଟ ପ୍ରକାଶନ ସହିତ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ପାର୍ଲାମେଂଟରେ ବଜେଟ ଉପସ୍ଥାପନ ହେଲା ଯାଏଁ ରହିବେ । ସେମାନଙ୍କୁ ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ । ତେବେ ପାର୍ଲାମେଂଟରେ ବଜେଟ ଉପସ୍ଥାପନ ପୂର୍ବରୁ ହାଲୱା ସମାରୋହ କରାଯିବା ପରମ୍ପରା ବହୁ ବର୍ଷ ହେଲା ରହିଆସିଛି । ଏହାର କାରଣ ହେଲା ଏଭଳି ପ୍ରସ୍ତୁତିକୁ ଶୁଭ ବୋଲି ବିବେଚନା କରାଯାଇଥାଏ ଓ ଯେକୌଣସି ଶୁଭ କାମର ଆରମ୍ଭ ମିଠାରୁ ହିଁ ହୋଇଥାଏ । ଏହି ସମୟରେ ବଜେଟ ପ୍ରକାଶନର ଦାୟିତ୍ୱ କିଛି ବଛା ବଛା ଅଧିକାରୀଙ୍କୁ ଦିଆଯାଇଥାଏ । ଏହି ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା କମ୍ୟୁଟରକୁ ଅନ୍ୟ ନେଟୱର୍କଠାରୁ ବିଚ୍ଛିନ୍ନ କରିଦିଆଯାଇଥାଏ ।

ବଜେଟ ପ୍ରକାଶନରେ ସାମିଲ ଥିବା ପ୍ରାୟ ଶହେରୁ ଅଧିକ କର୍ମଚାରୀ ୨ରୁ ୩ ସପ୍ତାହ ଯାଏଁ ନର୍ଥ ବ୍ଲକ ଅଫିସରେ ହିଁ ରହିଥାନ୍ତି । ସେମାନଙ୍କୁ ବାହାରକୁ ଆସିବାକୁ ଅନୁମତି ନ ଥାଏ । ବଜେଟ ଯେଭଳି ଲିକ୍ ନହେବ ସେଥିପ୍ରତି ଧ୍ୟାନ ରଖିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ । ବଜେଟ ଉପସ୍ଥାପନ ହେବା ଯାଏଁ ଏହି କର୍ମଚାରୀଙ୍କୁ ପରିବାର ଲୋକଙ୍କ ସହ କଥା ହେବା କିମ୍ବା ଭେଟିବାକୁ ଅନୁମତି ମିଳିନଥାଏ ।