ଚକଡା ପୋକ ପରେ ଅସ୍ତରଙ୍ଗରେ ବ୍ୟାପୁଛି ହଳଦୀଗୁଣ୍ଡି ପୋକ ! ହଳଦିଆ ପଡିଯାଉଛି ଧାନ ଗଛ, କାମ ଦେଉନି କୀଟନାଶକ

88

କନକ ବ୍ୟୁରୋ : ଉପାନ୍ତରୁ ଉପକୂଳ, ପଶ୍ଚିମରୁ ସୀମାନ୍ତ । ଚକଡ଼ାର ଚଡକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ଉପକୂଳ ଅସ୍ତରଙ୍ଗ ବ୍ଲକରେ ଜମିରେ ମାଡୁଛି ହଳଦୀଗୁଣ୍ଡି ପୋକ । ଏହି ପୋକ ଯୋଗୁଁ ଧାନ ଗଛ ହଳଦିଆ ପଡିଯାଉଥିବା ବେଳେ କାମ କରୁନି କୀଟନାଶକ । ଚକଡା ପୋକ ପରେ ଏବେ ଚାଷ ଖାଉଛି ହଳଦୀଗୁଣ୍ଡି ପୋକ । ଅସ୍ତରଙ୍ଗରେ ହଳଦୀଗୁଣ୍ଡି ପୋକ ଯୋଗୁଁ ଏକର ଏକର ଜମିରେ ଖରିଫ ଧାନ ଫସଲ ନଷ୍ଟ ହୋଇଛି । ଧାନ ଗଛର କେଣ୍ଡା ନବାହାରି ଗଛ ହଳଦିଆ ପଡିଯାଇଛି । ଏହାକୁ ଏବେ ଚିନ୍ତାରେ ଚାଷୀ ।

ହଳଦୀଗୁଣ୍ଡ ପୋକ ଦାଉରୁ ରକ୍ଷା ପାଇବା ପାଇଁ କୃଷି ବିଭାଗ ପରାମର୍ଶରେ କୀଟନାଶକ ବ୍ୟବହାର କରାଯାଉଛି । କିନ୍ତୁ ଏଥିରେ ପୋକ ନମରି ଓଲଟା ଗଛରୁ କେଣ୍ଡା ବାହାରୁନାହିଁ । ଚକଡା ପୋକ ତା ସାଂଗକୁ ହଳଦୀଗୁଣ୍ଡି ପୋକ ଏବେ ଜମିରେ ମାଡିଚାଲିଥିବା ବେଳେ ଚାଷୀଙ୍କ ନିଦ ହଜାଇଦେଇଛି । ସୂଚନାଯୋଗ୍ୟ କିଛି ଦିନ ହେଲା ରାଜ୍ୟରେ ଚକଡ଼ା ପୋକ ଲାଗି ଚିନ୍ତାରେ ଅଛନ୍ତି ଚାଷୀ । ଚକଡ଼ା ପୋକ ପାଇଁ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ଚାଷୀ । ତେବେ ଚକଡ଼ା ପରେ ପୁଣି ହଳଦୀଗୁଣ୍ଡି ପୋକ ଲାଗିବା ପରେ ଚାଷୀକୂଳ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଏପରିସ୍ଥଳେ ସରକାର କ’ଣ ପଦକ୍ଷେପ ନେବେ ସେ ନେଇ ସମସ୍ତେ ଚାହିଁ ବସିଛନ୍ତି ।