କେନ୍ଦୁଝରରେ କାଶ୍ମୀରର ଭ୍ରମ : ପାହାଡ ପର୍ବତରେ ଧଳା ଚାଦରରେ ଆସ୍ତରଣ, ମଜା ଉଠାଉଛନ୍ତି ଲୋକେ

98

କନକ ବ୍ୟୁରୋ : କେଉଁଝରରେ କାଶ୍ମୀର ଭ୍ରମ । ଧଳା ଚାଦରରେ ଘୋଡାଇ ହୋଇ ରହିଛି ପାହାଡ ପର୍ବତ । ଚାରିଆଡେ ବରଫର ଆସ୍ତରଣ । ତେବେ ଏହା ବରଫ ନୁହେଁ ବରଂ କୁଆପଥର । ସୋମବାର କେଉଁଝରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାହାଡ ପର୍ବତ, ଗଛପତ୍ର, ରାସ୍ତାଘାଟ ସବୁଆଡେ କୁଆପଥର ପଡିଛି । କିଛି ଦିନ ପାଇଁ ଲାଗି ଏହା କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା । ପ୍ରାୟ ଦୁଇ ତିନି ଇଂଚ ବହଳର କୁଆପଥର ବିଭିନ୍ନ ସ୍ଥାନରେ ଜମି ରହିଥିଲା । ଅଦିନରେ ବରଫ ଭଳି ପରିବେଶ ପାଇ ଲୋକେ ତାର ମଜା ଉଠାଉଛନ୍ତି । ଅନେକ, ଏଭଳି ଦୃଶ୍ୟର ଫଟୋ ଉଠାଉଛନ୍ତି ।

କିଛି ଦିନ ତଳେ କୋରାପୁଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । କାଳବୈଶାଖୀ ପରେ କୋରାପୁଟ ବନିଥିଲା କାଶ୍ମୀର । ସାରା ରାଜ୍ୟ ତାତିରେ ସନ୍ତୁଳି ହେଉଥିବା ବେଳେ କୋରାପୁଟରେ ବର୍ଷିଥିଲା କୁଆପଥର । ଲଗାତର ୨ ଦିନ ଧରି କୁଆପଥର ବର୍ଷାରେ ଭିଜିଲା ଘର, ପାହାଡ, ରାସ୍ତାଘାଟ ଓ ସବୁଜ କ୍ଷେତ । ଗାଁରେ ଗଦା ହୋଇଗଲା ୩ ଫୁଟ ଉଚ୍ଚର କୁଆପଥର । ବରଫ ଆଚ୍ଛାଦିତ ଅଂଚଳରେ କିଏ ସେଲଫି ନେଲା ତ ଆଉ କିଏ ବରଫରେ ଖେଳିବାର ମଜା । ଆଉ କେହି କେହି କୁଆପଥର ବର୍ଷାକୁ ନିଜ ମୋବାଇଲରେ ରେକର୍ଡ କଲେ ।