କାଳବୈଶାଖୀ ପରେ କୋରାପୁଟ ବନିଥିଲା କାଶ୍ମୀର : ବର୍ଷାର ୪ ଦିନ ପରେ ବି ଗାଁରୁ ହଟିନି କୁଆପଥର, ଉଜୁଡି ଯାଇଛି ଚାଷୀର ଫସଲ

67

କନକ ବ୍ୟୁରୋ : କାଳବୈଶାଖୀ ତାଣ୍ଡବର ୪ ଦିନ ପରେ ବି ସୁଦ୍ଧା ଗାଁରୁ ହଟୁନି କୁଆପଥର । ସ୍ଥିତି ଏଭଳି ହୋଇଛି ଯେ, ପବନ ଆସିଲେ ଘର ଭିତରକୁ ଦୌଡ଼ୁଛନ୍ତି ଗ୍ରାମବାସୀ । କାଳବୈଶାଖୀ ପ୍ରଭାବରେ ଗାଁରେ ସୃଷ୍ଟି ହୋଇଥିବା କାଶ୍ମୀର ଭ୍ରମକୁ ସ୍ଥାନୀୟ ବାସିନ୍ଦା ମନଭରି ଉପଭୋଗ କରିଛନ୍ତି । ହେଲେ ତା ପରର ଦୃଶ୍ୟ ଚାଷୀଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଛି ।

କୋରାପୁଟରେ କାଶ୍ମୀରର ଦୃଶ୍ୟ । ସାରା ରାଜ୍ୟ ତାତିରେ ସନ୍ତୁଳି ହେଉଥିବା ବେଳେ କୋରାପୁଟରେ ବର୍ଷିଥିଲା କୁଆପଥର । ଲଗାତର ୨ ଦିନ ଧରି କୁଆପଥର ବର୍ଷାରେ ଭିଜିଲା ଘର, ପାହାଡ, ରାସ୍ତାଘାଟ ଓ ସବୁଜ କ୍ଷେତ । ଗାଁରେ ଗଦା ହୋଇଗଲା ୩ ଫୁଟ ଉଚ୍ଚର କୁଆପଥର । ବରଫ ଆଚ୍ଛାଦିତ ଅଂଚଳରେ କିଏ ସେଲଫି ନେଲା ତ ଆଉ କିଏ ବରଫରେ ଖେଳିବାର ମଜା । ଆଉ କେହି କେହି କୁଆପଥର ବର୍ଷାକୁ ନିଜ ମୋବାଇଲରେ ରେକର୍ଡ କଲେ ।

ସନ୍ଧ୍ୟାର ମଜା ପରଦିନ ସକାଳ ପାଇଁ ଦୁଃଖ ପାଲଟି ଯାଇଥିଲା । କୋରାପୁଟ ଜିଲ୍ଳାର ଲିଟିଗୁଡ଼ା, ପୁଟ୍ରାଘାଟି, ଦାମନଯୋଡ଼ି ଅଚଂଳରେ ଗତ ୧୧ ଓ ୧୨ ତାରିଖ ଦୁଇଦିନ ଧରି ହୋଇଥିଲା କୁଆପଥର ବର୍ଷା । ଅପରାହ୍ନର ବର୍ଷା ଛାଡିବା ବେଳକୁ କୁଆପଥର ମାଡରେ ଘରର କାନ୍ଥ ସବୁ ଖଣ୍ଡିଆ ଖାବଡା ହୋଇଯିବା ସହ ମୁଣ୍ଡ ଉପର ଆଜବେଷ୍ଟ ଫାଟି ଯାଇଛି । ଏବେ ବି ଅନେକ ସ୍ଥାନରେ ବରଫ ଜମି ରହିଥିବା ବେଳେ ଫସଲ ଉଜୁଡି ଯାଇଛି । କୁଆପଥର ବର୍ଷା ସମଗ୍ର ଅଚଂଳର ଚାଷ ନଷ୍ଟ କରିଦେଇଛି । ଫସଲ କିଆରିରେ ଆମ ଯେଉଁ ଦୃଶ୍ୟ ଦେଖିଲୁ ତାହା ପୂର୍ବରୁ କେବେ ଦେଖିନଥିଲୁ । କାଳବୈଶାଖୀରେ ଧୂଳିସାତ ହୋଇଯାଇଛି ଚାଷୀର ସ୍ୱପ୍ନ ।

ଧାନ, ମାଣ୍ଡିଆ ସାଙ୍ଗକୁ ପନିପରିବା, ବିରି ଜାତୀୟ ଫସଲ, ପିଆଜ, ଆମ୍ବ, ପଣସ ସବୁ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି । ତେବେ ପ୍ରାଥମିକ ସ୍ଥିତିରେ କ୍ଷୟକ୍ଷତି ଆକଳନ କରାଯାଇଛି । ଆଗାମୀ ଦିନରେ ଆହୁରି କୁଆପଥର ବର୍ଷାର ଆଶଙ୍କା ରହିଛି । ତେଣୁ ପାଣିପାଗ ସୂଚନା ଅନୁସାରେ ସତର୍କ ଘଂଟି ହଟିଲା ପରେ ସମ୍ପୁର୍ଣ୍ଣ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି କୋରାପୁଟ କୃଷି ଅଧିକାରୀ ।