ଆତଙ୍କବାଦୀ ହାଫିଜ୍ ସୟିଦକୁ ଝଟକା : ପାକିସ୍ତାନ ବାସୀଙ୍କ ନାଁ, ନିର୍ବାଚନରେ ହାରିଲେ ପୁଅ ଓ ଜ୍ୱାଇଁ

56

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀ ହାଫିଜ ସଇଦକୁ ନାଁ କରିଛନ୍ତି ପାକ୍ ନାଗରିକ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଦଳର ଗୋଟିଏ ବି ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି । ଏପରିକି ସଇଦର ପୁଅ ହାଫିଜ ତଲହା ଓ ଜ୍ୱାଇଁ ଖାଲିଦ ୱଲିଦ ବି ପରାଜୟ ହୋଇଛନ୍ତି । ପାକିସ୍ତାନର ୨୬୫ଟି ଆସନରେ ହାଫିଜ ସଇଦର ଦଳ ଅଲ୍ଲାହୁ ଅକର ତହରୀକ ଓ ଜମାତ ଉତ ଦାୱାର ରାଜନୈତିକ ଦଳ ମିଲ୍ଲି ମୁସଲିମ ଲିଗର ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ଆସୁଥିବା ଟ୍ରେଣ୍ଡରେ ଗୋଟିଏ ବି ପ୍ରାର୍ଥୀ ଆଗୁଆ ରହିନାହାନ୍ତି । ଲସ୍କର-ଇ-ତୋଇବା ଓ ଜମାତ ଉତ୍ ଦାୱାର ମୁଖ୍ୟ ଆତଙ୍କବାଦୀ ହାଫିଜ ସଇଦ ମଧ୍ୟ ଗତକାଲି ଲାହୋରର ୱଫାକି କଲୋନୀରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲା । ଏହାସହ ପାକିସ୍ତାନର ବିଚାରଧାରା ପାଇଁ ମତଦାନ କରିବାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ଆତଙ୍କବାଦୀ ସଇଦ । ସବୁ ଆସନରେ ହାଫିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ ଦାବି କରିଥିଲା । ସେପଟ କିନ୍ତୁ ପାକିସ୍ତାନର ଜନସାଧାରଣ ସିଧାସଳଖ ଭାବେ ହାଫିଜ ସଇଦର ଦଳକୁ ନାଁ କରିଦେଇଛନ୍ତି ।

ସେପଟେ ନୱାଜ ସରିଫଙ୍କ ଭାଇ ସେହବାଜ୍ ସରିଫ ନିର୍ବାଚନରେ ହାରି ଯାଇଛନ୍ତି । ଏହା ସହ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ମଧ୍ୟ ହାରି ଯାଇଛନ୍ତି । ମତଗଣନାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଉଭୟ ପିଏମଏଲ ଓ ପିପିପି ଦଳ । ଏହାସହ ପିଏମଏଲ ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରିଛିି । ପିଏମଏଲ ସଭାପତି ତଥା ନୱାଜ ସରିଫଙ୍କ ଭାଇ ସେହବାଜ୍ ସରିଫ୍ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ଏଜେଂଟ୍ ମାନଙ୍କୁ ମତଗଣନା କେନ୍ଦ୍ରରୁ ବାହାର କରାଯିବା ସହ ବେଆଇନ୍ ଭାବେ ଦଳର କର୍ମୀଙ୍କୁ ଗିରଫ କରାଯାଇଛି । ପିପିପି ଦଳ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ବିଲାୱଲ ଭୁଟ୍ଟୋ ନିଜର ଏକ ଟୁଇଟ୍ ଜରିଆରେ ନିର୍ବାଚନ କମିଶନକୁ ଟାର୍ଗେଟ୍ କରିଛନ୍ତି । ତେବେ ପାକିସ୍ତାନ ନିର୍ବାଚନ କମିଶନ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଅନ୍ୟପଟେ ପାକିସ୍ତାନର ନୂଆ ସୁଲତାନ ହେବେ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନ୍ । ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ପାଇନଥିଲେ ମଧ୍ୟ ବଡ ଦଳ ଭାବେ ଉଭା ହୋଇଛି । ଆଜି ସନ୍ଧ୍ୟା ସୁଧା କେଉଁ ଦଳ କେତେ ଆସନ ପାଇଛନ୍ତି ତାହା ବିଧିବଦ୍ଧ ଭାବେ ଘୋଷଣା କରିବେ ପାକିସ୍ତାନ ନିର୍ବାଚନ କମିଶନର । ବର୍ତମାନ ସୁଦ୍ଧା ମୋଟ ୨୭୨ଟି ଆସନ ମଧ୍ୟରୁ ୨୬୭ଟି ଆସନର ଟ୍ରେଣ୍ଡ ଆସୁଛି । ଏଥିମଧ୍ୟରୁ ଇମ୍ରାନ ଖାନଙ୍କ ପିଟିଆଇ ୧୧୮ଟି ଆସନ, ନୱାଜ ସରିଫଙ୍କ ପାଟି ପାକିସ୍ତାନ ମୁସଲିମ ଲିଗ ନୱାଜଙ୍କୁ ୬୦ଟି ଆସନ ଓ ପାକିସ୍ତାନ ପିପୁଲସ ପାର୍ଟି ୩୫ଟି ଆସନରେ ଆଗୁଆ ଅଛି । ଅନ୍ୟାନ୍ୟ ଓ ସ୍ୱାଧୀନ ୫୦ଟି ଆସନରେ ଆଗୁଆ ଅଛନ୍ତି । ଆସୁଥିବା ଏହି ଟ୍ରେଣ୍ଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ପାକିସ୍ତାନରେ କୋ÷ଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ । ତେଣୁ ଏକ ଝୁଲା ସରକାର ହେବ । ତେବେ ଇମରାନଙ୍କ ପ୍ରତି ସେନାର ସମର୍ଥନ ରହିଥିବାରୁ ଛୋଟ ଦଳ ଗୁଡିକକୁ ନେଇ ସେ ସରକାର ଗଢ଼ିବେ ବୋଲି ଚର୍ଚ୍ଚା ହେଉଛି । କାରଣ ପାକିସ୍ତାନରେ ନିର୍ବାଚନ ଅବାଧ ଓ ନିରପେକ୍ଷ କେବେ ବି ହୋଇନାହିଁ । ପାକିସ୍ତାନର ସେନା ଓ ଆଇଏସଆଇ ଯାହାକୁ ସମର୍ଥନ କରନ୍ତି, ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥାଏ । କୁହାଯାଉଛି ଯେ, ଆଇଏସଆଇ ଓ ସେନାର ସମର୍ଥନ ଯୋଗୁଁ ଏଥର ଇମ୍ରାନ ଖାନଙ୍କୁ ଏଥର ସଫଳତା ମିଳିଛି । ବହୁମତ ପାଇଁ ମ୍ୟାଜିକ ନମ୍ବର ୧୩୭ ଆସନର ନିକଟତର ହୋଇପାରିଛନ୍ତି ଇମ୍ରାନ । ଗତକାଲି ଭୋଟଦାନ ପରେ ଇମ୍ରାନ ଖାନ ଭାରତ ବିରୋଧରେ ଜହର ଓଗାଳିଥିଲେ । ଏପରିକି ସେ ନୱାଜ ସରିଫଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେ କହିଥିଲେ, ସେ ପାରମ୍ପରିକ ରାଜନୀତିରୁ ହଟି ନୂଆ ପାକିସ୍ତାନ ଗଢିବେ । ତେବେ ଆଗାମି ଦିନରେ ଭାରତ ସହ ପାକିସ୍ତାନର କିଭଳି ସମ୍ପର୍କ ରହିବ ଓ ଇମ୍ରାନଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।